ପଟିଆଲାରେ ଶୁକ୍ରବାର ଶିବସେନା ଏବଂ ଖାଲିସ୍ତାନ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଘଟଣା ସ୍ଥଳରେ ପଥରମାଡ଼ ହୋଇଥିଲା ଏବଂ ଖଣ୍ଡା ମଧ୍ୟ ବୁଲିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆଇନ ବ୍ୟବସ୍ଥାକୁ ହାତକୁ ନେଇଥିଲା ।
ସୂଚନା ଅନୁଯାୟୀ, ପଞ୍ଜାବ ପଟିଆଲାର କାଳୀ ମନ୍ଦିର ନିକଟରେ ଶୁକ୍ରବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା, ପରେ ପଥର ଏବଂ ଖଣ୍ଡା ବୁଲିଥିଲା । ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଶିବସେନା ପଟିଆଲାରେ ଖାଲିସ୍ତାନୀ ସମୂହଙ୍କ ବିରୋଧରେ ରାଲି କରୁଥିଲେ । ରାଲି ସମୟରେ ଶିଖ୍ ସଙ୍ଗଠନ ଏବଂ ଶିବସେନା ସଦସ୍ୟ ପରସ୍ପର ମଧ୍ୟରେ ଭିଡି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା ।
ପୋଲିସ ପରିସ୍ଥିତିକୁ ସମ୍ଭାଳିବାକୁ ଫାଙ୍କା ଗୁଳିଚାଳନା କରିଥିଲା । ଏହି ସମୟରେ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ । ଏବେବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଶାନ୍ତି ବଜାୟ ରଖିବାକୁ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସେପଟେ ଘଟଣାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଡିଜିପିଙ୍କ ସହ କଥା ହୋଇଛନ୍ତି । ଏହି ଘଟଣାକୁ ଦୁର୍ଭଗ୍ୟଜନକ କହିବା ସହ । ଘଟଣା ଉପରେ ନଜର ରଖାଯାଇଥିବା ନେଇ ସେ କହିଛନ୍ତି । ପଟିଆଲା ଡେପୁଟି କମିଶନର ସାକ୍ଷୀ ସାହାଣୀ ଶାନ୍ତି ଆହ୍ୱାନ କରିବା ସହ ଲୋକଙ୍କ ଗୁଜବ ଉପରେ ବିଶ୍ୱାସ ନକରିବାକୁ କହିଛନ୍ତି ।