ପଞ୍ଜାବ ବର୍ଡରରେ ପାକିସ୍ତାନୀ ଡ୍ରୋନକୁ ଖସାଇଲେ ବିଏସଏଫ ଯବାନ, ନିଶା କାରବାରରେ ହେଉଥିଲା ବ୍ୟବହାର

ପୁଣି ଥରେ ପଞ୍ଜାବ ଅମୃତସରରେ ପାକିସ୍ତାନୀ ଡ୍ରୋନ ଅନୁପ୍ରବେଶ କରିଥିବା ନେଇ ସୂଚନା ମିଳିଛି । ଗତ କିଛି ଦିନରୁ ପାକିସ୍ତାନ ତରଫରୁ ଅନେକ ଥର ଡ୍ରୋନ ଭାରତୀୟ ସୀମା ପାର କରିବାକୁ ଚେଷ୍ଟା କରିଛି ।

ସୂଚନା ଅନୁଯାୟୀ, ପଞ୍ଜାବ ସୀମାରେ ନିୟୋଜିତ ହୋଇଥିବା ବିଏସଏଫ୍ ଯବାନ ଗୁରୁବାର ରାତି ପ୍ରାୟ ୧ ଟା ସମୟରେ ଅମୃତସର ସେକ୍ଟରର ଧନୌ କଲାନ ଗ୍ରାମ ନିକଟରେ ପାକିସ୍ତାନ ପଟୁ କିଛି ସନ୍ଦିଗ୍ଧ ବସ୍ତୁ ଉଡ଼ି ଭାରତ ସୀମାର ପ୍ରବେଶ କରୁଥିବାର ଦେଖିଥିଲେ ଯାହାପରେ ଯବାନ ମାନେ ଫାୟାରିଂ କରି ଏହାକୁ ଖସାଇଥିଲେ । ଏହାପରେ ଯବାନ ସେହ ଅଞ୍ଚଳକୁ ଘେରି ନେଇଥିଲେ ଏବଂ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା । ପରେ ଯବାନଙ୍କୁ ଧନୌ କଲା ଗ୍ରାମ ପାଖରେ ସକାଳେ ୬ ଟା ବେଳେ କଳା ରଙ୍ଗର ଡ୍ରୋନ ମିଳିଥିଲା । ଜବତ ହୋଇଥିବା ଡ୍ରୋନ ଏକ ଚାଇନା ଡ୍ରୋନ ଥିଲା । ଏହାର ନାମ ଡିଜେଆଇ ମେଟ୍ରିକ୍ ୩୦୦ ରହିଛି । ଏହି ଡ୍ରୋନକୁ ନିଶା ବ୍ୟବସାୟ କରିବା ପାଇଁ ବ୍ୟବହାର କରାଯାଉଥିଲା । ଯାହାକୁ ଯବାନମାନେ ଖସାଇ ବିଫଳ କରିଛନ୍ତି ।

ସୂଚନାଯୋଗ୍ୟ, ବିଗତ କିଛି ମାସରୁ ପାକିସ୍ତାନ ତରଫରୁ ଭାରତୀୟ ସୀମାରେ ଅନେକ ଥର ଡ୍ରୋନ ପ୍ରବେଶ କରିବା ପାଇଁ ଚେଷ୍ଟା କରାଯାଉଛି । କିନ୍ତୁ ବିଏସଏଫର ସତର୍କ ଦୃଷ୍ଟି ଯୋଗୁଁ ଏହି ଡ୍ରୋନ ଭାରତରେ ପ୍ରବେଶ କରିବାରେ ସଫଳ ହୋଇପାରୁନାହିଁ । ଏହାର କିଛି ଦିନ ପୂର୍ବରୁ ଅଟାରୀରେ ଏକ ପାକିସ୍ତାନୀ ଡ୍ରୋନ ଉଡ଼ୁଥିବାର ଦେଖାଯାଇଥିଲା  । ଏହି ଡ୍ରୋନ ଭାରତ ସୀମା ପାର କରି ପ୍ରାୟ ୫ କିଲୋମିଟର ଭିତରକୁ ପଶିଆସିଥିଲା । ଏହା ପୂର୍ବରୁ ୨୧ ଏପ୍ରିଲରେ ଗୁରୁଦାସପୁର ସେକ୍ଟରରେ ଡ୍ରୋନ ଦ୍ୱାରା ୪ ଥର ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଏହାକୁ ଖସାଇବା ପାଇଁ ବିଏସଏଫକୁ  ୧୬୫ ରାଉଣ୍ଡ ଗୁଳି ଚଳାଇବାକୁ ପଡ଼ିଥିଲା ।

Get real time updates directly on you device, subscribe now.