ଶୋଇଥିବା ବେଳେ ତିନି ଛୁଆଙ୍କୁ ହତ୍ୟାକଲା ରାକ୍ଷସୀ ମାଆ: ଶେଷରେ ନିଜେ ବି କଲା ଆତ୍ମହତ୍ୟା

ଜୟପୁର: ରାଜସ୍ଥାନର ବାଡମେଲ ଜିଲ୍ଲାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଶୋଇଥିବା ଅବସ୍ଥାରେ ନିଜର ୩ ଛୁଆଙ୍କୁ ହତ୍ୟା କରିଛି ଜଣେ ରାକ୍ଷସୀ ମା । ଘର ବାହାରେ ଥିବା ଟାଙ୍କିରେ ୩ ଝିଅଙ୍କୁ ଫିଙ୍ଗି ହତ୍ୟା କରିବା ପରେ ମା ନିଜେ ମଧ୍ୟ ଆତ୍ମହତ୍ୟା କରିଛି । ଏହି ଘଟଣା ଏବେ ସାରା ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଏହାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ, ବାୟତୁ ଥାନା ଅନ୍ତର୍ଗତ ଅକଦଡା ଗାଁର ଜସୀ ନାମକ ଜଣେ ମହିଳା ଏପରି କାଣ୍ଡ ଘଟାଇଛନ୍ତି । ସ୍ୱାମୀ କୋସଲାରାମ ଏବଂ ୩ ଝିଅଙ୍କ ସହିତ ଏଠାରେ ରହୁଥିଲେ ଜସୀ । ପ୍ରତିଦିନ ପରି କାଲି ମଧ୍ୟ ଖାଇ ପିଇ ରାତିରେ ମାଆଙ୍କ ସହ ଶୋଇଥିଲେ ତିନି ଝିଅ ଜ୍ୟୋସ୍ନା, ମୋନିକା ଏବଂ ଦୀକ୍ଷା । କିନ୍ତୁ ହଠାତ ମା ଏମାନଙ୍କୁ ଉଠାଇ ନେଇ ଘର ବାହାରେ ଥିବା ଏକ ଟାଙ୍କିରେ ଫିଙ୍ଗି ଦେଇଛନ୍ତି । ତେବେ ଏ ନେଇ ମହିଳାଙ୍କ ସ୍ୱାମୀ କିଛି ବି ଜାଣି ପାରି ନାହାନ୍ତି ।

ସକାଳୁ ପୋଲିସ ଆତ୍ମହତ୍ୟା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ପ୍ରଥମେ ତିନି ଜଣ ଶିଶୁଙ୍କ ମୃତଦେହ ପାଇଥିଲା ପୋଲିସ । ଏହାପରେ ପରିବାର ଏବଂ ଗ୍ରାମବାସୀ ମହିଳାଙ୍କୁ ଖୋଜାଖୋଜି କରିବାରୁ ରାସ୍ତାର ଅପର ପାଶ୍ୱର୍ରେ ଅନ୍ୟ ଏକ ଟାଙ୍କିରେ ତାଙ୍କ ମୃତଦେହ ମଧ୍ୟ ପୋଲିସ ଜବତ କରିଛି । ତେବେ ଘରୋଇ ବିବାଦ କାରଣରୁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି ।