fbpx

EPFO ଜାରି କଲା ନୂଆ ନିୟମ: ଏଣିକି ରିଟାୟାରମେଣ୍ଟ ଦିନ କର୍ମଚାରୀଙ୍କୁ ଦିଆଯିବ PPO

ନୂଆଦିଲ୍ଲୀ: ସମସ୍ତ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର ଆସିଛି । କର୍ମଚାରୀଙ୍କ ଭବିଷ୍ୟନିଧି ସଂଗଠନ ପାଣ୍ଠି (ଇପିଏଫଓ) ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ସ୍ୱାଧୀନତାର ଅମୃତ ମହୋତ୍ସବର ପଦକ୍ଷେପ ସ୍ୱରୂପ ଅବସର ନେବାକୁ ଯାଉଥିବା କର୍ମଚାରୀଙ୍କୁ କିଛି ସୁବିଧା ପ୍ରଦାନ କରାଯାଇଛି । ଇପିଏଫଓ ପକ୍ଷରୁ ଲାଇଫ ସାର୍ଟିଫିକେଟ ସବମିଟ୍ କରିବାର ଡେଡଲାଇନର ସର୍ତ୍ତକୁ ହଟାଇ ଦିଆଯାଇଛି । ଏଥିସହିତ କର୍ମଚାରୀମାନଙ୍କୁ ରିଟାୟାରମେଣ୍ଟ ଦିନ ‘ପେନସନ ପେମେଣ୍ଟ ଅର୍ଡର’ (ପିପିଓ) ଦେବାର ବ୍ୟବସ୍ଥା କରାଯାଇଛି ।

ପୂର୍ବରୁ ପ୍ରତ୍ୟେକ ବର୍ଷ ଜୀବନ ପ୍ରମାଣପତ୍ର ଜମା କରିବାକୁ ପଡ଼ୁଥିଲା । ଏହାଫଳରେ ପେନସନ ଅଟକି ଯିବାର ଭୟ ରହୁଥିଲା । ଇପିଏଫଓ ଅନୁଯାୟୀ, ଇପିଏସ ୯୫ର ପେନସନଧାରୀ ଏଣିକି ବିନା କୌଣସି ଡେଡଲାଇନରେ ବର୍ଷର ଯେ କୌଣସି ସମୟରେ ପ୍ରମାଣପତ୍ର ଦାଖଲ କରିପାରିବେ । ଏହି ସାର୍ଟିଫିକେଟ ଜମା କରିବାର ତାରିଖଠାରୁ ପରବର୍ତ୍ତୀ ଏକ ବର୍ଷ ପର୍ଯ୍ୟନ୍ତ ଭାଲିଡ୍ ରହିବ । ଅର୍ଥାତ ଯଦି ଜଣେ ପେନସନର ୨୦୨୨ ଏପ୍ରିଲ ୧୫ରେ ସାର୍ଟିଫିକେଟ ଜମା କରିବେ, ତେବେ ୨୦୨୩ ଏପ୍ରିଲ ୧୫ ପୂର୍ବରୁ ତାଙ୍କୁ ସାର୍ଟିଫିକେଟ ଜମା କରିବାକୁ ପଡ଼ିବ ।

ଏନେଇ ଇପିଏଫଓ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ସେବାନିବୃତ ଦିନ କର୍ମଚାରୀମାନେ ପିପିଓ ପାଇ ପାରିବେ । ସେଥିପାଇଁ ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟରେ ଏକ ମାସିକ ୱେବିନାରର ଆୟୋଜନ କରାଯାଉଛି । ତିନି ମାସ ମଧ୍ୟରେ ସେବାନିବୃତ ହେବାକୁ ଥିବା କର୍ମଚାରୀମାନେ ୱେବିନାର ମାଧ୍ୟମରେ ପ୍ରଶିକ୍ଷଣ ନେବେ । ଏହାଦ୍ୱାରା ପ୍ରତ୍ୟେକ ବର୍ଷ ଅବସର ନେଉଥିବା ପାଖାପାକି ୩ ଲକ୍ଷ କର୍ମଚାରୀ ଲାଭ ପାଇବେ ।

Get real time updates directly on you device, subscribe now.