fbpx

ଖାଇବା ତେଲ ଦରବୃଦ୍ଧିରେ ଲାଗିବ ବ୍ରେକ୍, ପାମ୍ ଅଏଲ ରପ୍ତାନୀ ଉପରେ ପ୍ରତିବନ୍ଧକ ହଟାଇଲା ଏହି ଦେଶ

ନୁଆଦିଲ୍ଲୀ: ମହଙ୍ଗା ମାଡ଼ ସହୁଥିବା ଦେଶର ସାଧାରଣ ଜନତାଙ୍କ ପାଇଁ ଆସିଛି ଖୁସି ଖବର । ଆଗାମୀ କିଛି ଦିନରେ ଖାଇବା ତେଲ ଦରରେ ହ୍ରାସ ପାଇବାର ସମ୍ଭାବନା ରହିଛି । କାରଣ କିଛି ଦିନ ତଳେ ପାମ୍ ଅଏଲ ରପ୍ତାନୀ ଉପରେ ଲଗାଇଥିବା ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛି ଇଣ୍ଡୋନେସିଆ ।

ଏ ସମ୍ବନ୍ଧରେ ଏବେ ଖବର ଆସିଛି । ରିପୋର୍ଟ ମୁତାବକ ମେ ୨୩ରୁ ଇଣ୍ଡୋନେସିଆ ପାମ୍ ଅଏଲର ରପ୍ତାନୀ ଉପରୁ ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ନେଇଛି । ଗୁରୁବାର ଦେଶର ବ୍ୟବସାୟୀ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରି ରପ୍ତାନୀ ଉପରୁ ପ୍ରତିବନ୍ଧକ ହଟାଇବାକୁ ନିବେଦନ କରିଥିଲେ । ଏହାପରେ ଏହି ନିଷ୍ପତ୍ତି ନିଆଯାଇଛି ।

ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗିବା ପରେ ଦେଶର ଷ୍ଟକ ପୁରଣ ହୋଇ ସାରିଲାଣି । ଆଗକୁ ଯଦି ପ୍ରତିବନ୍ଧକ ଏହିପରି ଲାଗି ରୁହେ, ତେବେ ସ୍ଥାନୀୟ ବ୍ୟାପାରୀଙ୍କର ପ୍ରବଳ କ୍ଷତି ହେବାର ସମ୍ବାବନା ରହିଛି । ପାମ୍ ଅଏଲର ସବୁଠୁ ବଡ଼ ଉତ୍ପାଦକ ଇଣ୍ଡୋନେସିଆ ସରକାର ରପ୍ତାନୀ ଉପରେ ଏପ୍ରିଲ ୨୮ ତାରିଖରେ ପ୍ରତିବନ୍ଧକ ଲଗାଇଥିଲେ ।

ଇଣ୍ଡୋନେସିଆ ସାଧାରଣତଃ ଏହାର ବାର୍ଷିକ ପାମ୍ ଅଏଲ ଉତ୍ପାଦନର ମାତ୍ର ୩୫ ପ୍ରତିଶତ ଘରୋଇ ଭାବରେ ବ୍ୟବହାର କରିଥାଏ । ଏହା ପ୍ରାୟତଃ ଖାଦ୍ୟ ଏବଂ ଇନ୍ଧନ ପାଇଁ ବ୍ୟବହୃତ ହୁଏ । ଏଥି ସହିତ ପାମ୍ ଅଏଲ ପାଇଁ ଇଣ୍ଡୋନେସିଆ ଉପରେ ଭାରତର ଅଧିକ ନିର୍ଭରଶୀଳତା ରହିଛି, ଏଭଳି ପରିସ୍ଥିତିରେ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବା ଦେଶରେ ଆରାମ ଆଣିପାରେ। ସୂଚନା ଅନୁସାରେ ଭାରତ ଇଣ୍ଡୋନେସିଆରୁ ଏହାର ପାମ୍ ଅଏଲର ୭୦ ପ୍ରତିଶତ ଆମଦାନୀ କରିଥାଏ। ବାକି ୩୦ ପ୍ରତିଶତ ମାଲେସିଆରୁ ଆସିଥାଏ । ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତ ୮୩.୧ ଲକ୍ଷ ଟନ୍ ପାମ୍ ତେଲ ଆମଦାନୀ କରିଛି ।

 

 

 

 

 

 

Get real time updates directly on you device, subscribe now.