fbpx

ହାଟରୁ ଗୁପଚୁପ୍ ଖାଇବା ହେଲା କାଳ: ୧୫୦ ଲୋକଙ୍କର ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଗତକାଲି ଓଡ଼ିଶାର କଟକ ଜିଲ୍ଲାରେ କିଛି ଗୁପଚୁପ ବ୍ୟବସାୟୀଙ୍କ ଘରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା । ବେପାରୀମାନେ ଖରାପ ଜିନିଷ ବ୍ୟବହାର କରିବା ସହ ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍ ପ୍ରସ୍ତୁତ କରୁଥିବା ଜଣାପଡ଼ିଥିଲା । ତେବେ ଗୁପଚୁପ ଖାଇବା ଯେ କେତେ ଭୟଙ୍କର ତାହାର ଏକ ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶରେ ଗୁପଚୁପ ଖାଇ ୧୦୦ରୁ ଅଧିକ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଜଣପଡ଼ିଛି ଯେ, ମଣ୍ଡଲା ଜିଲ୍ଲାର ସିଙ୍ଗାରପୁର ଗ୍ରାମର ମାର୍କେଟରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଆଖାପାଖର ବହୁ ସଂଖ୍ୟାରେ ଲୋକ ଜିନିଷପତ୍ର କିଣିବା ପାଇଁ ବଜାରକୁ ଯାଇଥିଲେ । ତେବେ ଏହି ଅବସରରେ କିଛି ଲୋକ ହାଟରୁ କିଛି ଜିନିଷ କିଣି ଖାଇଥିଲେ । ମାତ୍ର ଖାଇବାର କିଛି ସମୟ ପରେ ହଠାତ୍ ସମସ୍ତଙ୍କର ବାନ୍ତି ହୋଇଥିଲା । ତେଣୁ ସଙ୍ଗେସଙ୍ଗେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ତେବେ କିଛି ଗ୍ରାମବାସୀ ସିଙ୍ଗାରପୁର ବଜାରରୁ ଗୁପଚୁପ ଖାଇଥିଲେ ବୋଲି ପରେ ଜଣାପଡ଼ିଥିଲା । ଗୁପଚୁପ ଖାଇବା ପରେ ବହୁସଂଖ୍ୟକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ବିଷୟରେ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଥିଲା । ତେବେ ପରେ ମେଡିକାଲ ଟିମ୍, ପୋଲିସ ପ୍ରଶାସନ ଏହି ଘଟଣାର ତଦାରଖ କରିଥିଲେ । ସମସ୍ତ ଆହତଙ୍କର ଫୁଡ୍ ପଏଜନିଂ ହୋଇଥିବା ଜଣାପଡ଼ିଥିଲା । ଏହି ଘଟଣାରେ ପୋଲିସ ଗୁପଚୁପ ଦୋକାନୀକୁ ଅଟକ ରଖିବା ସହ ଖାଦ୍ୟର ନମୂନା ଟେଷ୍ଟିଂ ପାଇଁ ପଠାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.