fbpx

ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା: ମହିଳା ଟିଚରଙ୍କୁ ଗୁଳି ମାରିଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଥମୁନି କାଶ୍ମୀର ପଣ୍ଡିତଙ୍କ ହତ୍ୟା । ଜଣକ ପରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀ କରୁଛନ୍ତି ଟାର୍ଗେଟ । ସେହିପରି ଆଜି କୁଲଗାମ ଜିଲ୍ଲାରେ କିଛି ଆତଙ୍କବାଦୀଙ୍କ ଶିକାର ପାଲଟିଛନ୍ତିି ଆଉ ଜଣେ କାଶ୍ମୀର ପଣ୍ଡିତ । ପ୍ରବାସୀ କାଶ୍ମୀର ପଣ୍ଡିତ ମହିଳା ଶିକ୍ଷୟତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ପୋଲିସ ତରଫରୁ ଏ ନେଇ ସୂଚନା ଦିଆଯାଇଛି ।

ପୋଲିସର ସୂଚନା ମୁତାବକ, ଏହି ଜିଲ୍ଲାର ଗୋପାଳପୁରରେ ରଜନୀ ବାଳା ନାମକ ଜଣେ ଶିକ୍ଷୟତ୍ରୀଙ୍କୁ ଗୁଳିମାଡ କରିଛନ୍ତି ଆତଙ୍କୀ ସଂଗଠନ । ଆହତ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମେ ମାସରେ ଏହା ହେଉଛି ଦ୍ୱିତୀୟ କାଶ୍ମୀର ପଣ୍ଡିତଙ୍କ ମୃତ୍ୟୁ । ଗତ ୧୨ ମେ ତାରିଖରେ ରାହୁଲ ଭଟ୍ଟଙ୍କୁ କାର୍ଯ୍ୟାଳୟ ଭିତରେ ପଶି ହତ୍ୟା କରିଥିଲେ ଆତଙ୍କବାଦୀ । ଏହାପୂର୍ବରୁ ସ୍ଥାନୀୟ ଟିଭି ଅଭିନେତ୍ରୀ ଅମରୀନା ଭଟ୍ଟଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଆକ୍ରମଣରେ ତାଙ୍କ ୧୦ ବର୍ଷର ପୁତୁରା ମଧ୍ୟ ଗୁରୁତର ଆହତ ହୋଇଥିଲା । ତେବେ ଏହି ମାମଲାରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଥିବା ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ।

ଅନ୍ୟ ପକ୍ଷରେ ୨୦୨୧ ଅକ୍ଟୋବରରେ ଶ୍ରୀନଗରର ଇଦଗାହ ଅଞ୍ଚଳରେ ଜଣେ ମହିଳାଙ୍କ ସମେତ ସରକାରୀ ବିଦ୍ୟାଳୟର ୨ ଜଣ ଶିକ୍ଷକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ଏହି ମୃତକ ମାନଙ୍କ ମଧ୍ୟରେ ସୁପିନ୍ଦର କୌର ନାମକ ଜଣେ କାଶ୍ମୀର ପଣ୍ଡିତ ମଧ୍ୟ ରହିଥିଲେ ।

Get real time updates directly on you device, subscribe now.