fbpx

କାନପୁର ପରେ ଆଗ୍ରାରେ ବିଗିଡିଲା ମାହୋଲ, ବାଇକ ଧକ୍କାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପଥରମାଡ

କାନପୁର: କାନପୁର ହିଂସା ପରେ ଉପଦ୍ରବୀଙ୍କ ଧରପଗଡ ମଧ୍ୟରେ ରବିବାର ଆଗ୍ରାରେ ମଧ୍ୟ ମାହୋଲ ବିଗିଡିଛି। ଦୁଇ ଜଣଙ୍କ ମଧ୍ୟରେ ବାଇକ ଧକ୍କାକୁ ନେଇ ଝିମିଟି ଖେଳରୁ ମହାଭାରତ ପରି ସ୍ଥିତି ଉପୁଜିଛି। ପ୍ରଥମେ ଦୁଇ ଜଣଙ୍କ ମଧ୍ୟରେ ଝଗଡା, ପୁଣି ପରିବାର ଲୋକ ଏବଂ ଦେଖୁ ଦେଖୁ ପୁରା ପଡିଶାରେ ରହୁଥିବା ଦୁଇ ସମୁଦାୟର ଲୋକେ ମୁହାଁମୁହିଁ ହୋଇଛନ୍ତି। ତେବେ ସ୍ଥିତି ଅଧିକ ବିଗିଡିବା ପୂର୍ବରୁ ପୋଲିସ ପରିସ୍ଥିତିକୁ ନିଜ ନିୟନ୍ତ୍ରଣ ନେବାରେ ସଫଳ ହୋଇଛି।

ଆଗ୍ରାରେ ତାଜଗଞ୍ଜର ବସଇ ଖୁର୍ଦରେ ରବିବାର ସନ୍ଧ୍ୟାରେ ବାଇକ ଧକ୍କାରୁ ଦୁଇ ଜଣଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ଯୁବକଙ୍କ ପରିଜନମାନେ ସେଠାରେ ପହଞ୍ଚିଥିଲେ। ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇଥିଲା। ପରସ୍ପର ଉପରକୁ ପଥରମାଡ ମଧ୍ୟ କରିଥିଲେ। ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷ କଥା ଚାରିଆଡେ ବ୍ୟାପି ଯାଇଥିଲା। ଏସଏସପି ସମେତ ଅନ୍ୟ ଅଧିକାରୀ ତୁରନ୍ତ ଘଟଣାସ୍ଥଳକୁ ଦୌଡିଥିଲେ। ଠିକ୍ ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇ ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିଛନ୍ତି।

ଏହି ଘଟଣା ରବିବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଘଟିଛି। ବସଇ ଖୁର୍ଦରେ ରାସ୍ତା ଖୋଳା କାମ ସହ ସେଠାରେ ଇଣ୍ଟରଲକିଙ୍ଗ ବିଛାଇବା କାମ ଚାଲିଛି। ସେଠାକାର ସ୍ଥାନୀୟ ବାସିନ୍ଦା ସାଦିକ ବାଇକରେ ଘରକୁ ଫେରୁଥିଲା। ଖୋଳା କାମ ଚାଲିଥିବାରୁ ସାମ୍ନାରେ ଆସୁଥିବା ରାଧେଶ୍ୟାମ ସହ ବାଇକ ଧକ୍କା ହୋଇଥିଲା। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତା ପରେ ସ୍ଥିତି ବିଗିଡିଥିଲା। ପୋଲିସ ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରେ ପୋଲିସ ମୁତୟନ କରିଛି।

Get real time updates directly on you device, subscribe now.