ନୂଆଦିଲ୍ଲୀ: ଏକ ଟେଲିଭିଜନ ବିତର୍କ କାର୍ୟ୍ୟକ୍ରମରେ ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିଥିବା ବିଜେପିର ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମାଙ୍କୁ କୋଲକାତା ପୋଲିସ ନୋଟିସ୍ ଜାରି କରିଛି। ପୋଲିସ ଶର୍ମାଙ୍କୁ ଜୁନ ୨୦ରେ ପଚରାଉଚୁରା ପାଇଁ ଡକାଇଛି। ଏହା ପୂର୍ବରୁ ମହାରାଷ୍ଟ୍ର ପୋଲିସ ମଧ୍ୟ ନୂପୁର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ କରି ସାରିଛି।
ନୂପୁର ଶର୍ମାଙ୍କ ଟିପ୍ପଣୀକୁ ନେଇ ଗତ ତିନି ଦିନ ଧରି ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଗତକାଲି କିଛି ଲୋକ ବେଥୁଆଡହରି ଷ୍ଟେସନରେ ଲୋକାଲ ଟ୍ରେନ ଉପରେ ଆକ୍ରମଣ କରିଛନ୍ତି। ଏଥିରେ କିଛି ରେଲଓ୍ଵେ କର୍ମଚାରୀ ସହ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ବିଶେଷ କରି ହାଓ୍ଵଡା ଏବଂ ମୁର୍ଶିଦାବାଦ ଜିଲ୍ଲାରେ ହିଂସା ଅଧିକ ଦେଖିବାକୁ ମିଳିଛି। ଏହା ମଧ୍ୟରେ କୋଲକାତା ପୋଲିସ ନୂପୁର ଶର୍ମାଙ୍କ ବିରୋଧରେ ନୋଟିସ୍ ଜାରି କରିଛି।
ବିଜେପିରୁ ନିଲମ୍ବିତ ଏହି ପୂର୍ବତନ ମୁଖପାତ୍ର ମହାରାଷ୍ଟ୍ରରେ ଭିଭଣ୍ଡି ଥାନାରେ ହାଜର ହେବା ପାଇଁ ସମୟ ମାଗିଛନ୍ତି। ପୋଲିସ ତାଙ୍କ ବୟାନ ରେକର୍ଡ ପାଇଁ ନୋଟିସ୍ ଜାରି କରିଥିଲା। ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ ଶର୍ମାଙ୍କୁ ସମୟ ଦିଆଯାଇଛି ଏବଂ ସେ ଆଜି ଭିଭଣ୍ଡି ଥାନାରେ ହାଜର ହେବେ ନାହିଁ। ନୂପୁର ଶର୍ମା ସଂପ୍ରତି ପୋଲିସ ସୁରକ୍ଷା ବଳରେ ରହିଛନ୍ତି। ତାଙ୍କ ନିକଟକୁ ହଜାର ହଜାର ଧମକର ମେସେଜ, ଇମେଲ ଆସିବାରେ ଲାଗିଛି। ଏହି ମାମଲାକୁ ନେଇ ମୁସଲିମ ଦେଶଗୁଡିକରେ ମଧ୍ୟ ଖୁବ୍ ହଙ୍ଗାମା ହୋଇଛି।