fbpx

ପୁରୀ ରଥଯାତ୍ରା ପାଇଁ ୮୧ ଜଣ ମାଜିଷ୍ଟ୍ରେଟଙ୍କୁ ମିଳିଲା ଦାୟିତ୍ୱ, ରାଜ୍ୟ ସରକାର ଜାରି କଲେ ସମ୍ପୂର୍ଣ୍ଣ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସ ପହିଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ତେଣୁ ରଥଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୮୧ ଜଣ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସମସ୍ତ ଅଧିକାରୀମାନେ ଜୁନ୍ ୨୯ ତାରିଖରୁ ଜୁଲାଇ ୧୩ ପର୍ଯ୍ୟନ୍ତ ପୁରୀରେ କାର୍ଯ୍ୟ କରିବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ୮୧ ଅଧିକାରୀଙ୍କ ତାଲିକା ପ୍ରକାଶ ପାଇଛି ।

ପୁରୀ ରଥଯାତ୍ରାର ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ଅଗ୍ନିଶମ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ ବସିଥିଲା । ଓଡ଼ିଶା ଅଗ୍ନିଶମ ସେବା ଓ ବିପର୍ଯ୍ୟୟ ମୁକାବିଲା ଏକାଡେମୀଠାରେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସ୍ଥିତି ସମୀକ୍ଷା କରିଥିଲେ । ରଥଯାତ୍ରା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ, ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।

ତେବେ ଆଗକୁ ରଥଯାତ୍ରା ଆସୁଥିବାରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀଠାରେ ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ଉକ୍ତ ବୈଠକରେ ୭ ଜଣ ମନ୍ତ୍ରୀଙ୍କ ସହ ଉନ୍ନୟନ କମିଶନର, ପୋଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ ।

ଚଳିତ ବର୍ଷ ରଥଯାତ୍ରା ଭକ୍ତଙ୍କ ପାଇଁ ଉତ୍ତମ ଅନୁଭବ ଆଣିଦେବ ଓ କୋଭିଡ୍ ପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ସେବାୟତ ଓ ପୁରୀ ସହରବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରଥଯାତ୍ରା ଅବସରରେ ପୁରୀକୁ ୧୩୭ଟି ସ୍ପେଶାଲ ଟେନ୍ ଚାଲିବା ନେଇ ବ୍ୟବସ୍ଥା କରାଯିବା ସହ ଭକ୍ତଙ୍କ ସୂଚନା ପାଇଁ ପୁରୀରେ ୧୧ଟି ସୂଚନା କେନ୍ଦ୍ର ସ୍ଥାପନ କରାଯିବ ।

Get real time updates directly on you device, subscribe now.