fbpx

ରାଷ୍ଟ୍ରପତି ନିର୍ବାଚନ: ଶରଦ ପୱାରଙ୍କ ବୈଠକରେ ଯୋଗ ଦେବେନାହିଁ ମମତା

ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ଏଥିପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି ବିରୋଧୀ ଦଳମାନେ । ଏହି ପରିପ୍ରେକ୍ଷୀରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଜୁନ୍ ୨୧ ତାରିଖରେ ବିରୋଧୀ ଦଳମାନଙ୍କର ଏକ ବୈଠକ ଡକାଇଛନ୍ତି ଏନସିପି ମୁଖ୍ୟ ଶରଦ ପୱାର । କିନ୍ତୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ କାରଣରୁ ଏହି ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା ରବିବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ପ୍ରସ୍ତାବିତ ବୈଠକରେ ତୃଣମୂଳ କଂଗ୍ରେସର କେହି ବରିଷ୍ଠ ନେତା ଉପସ୍ଥିତ ରହିବେ । ସେ କହିଛନ୍ତି ଯେ ମମତା ବାନାର୍ଜୀ  ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଯୋଗୁଁ ବୈଠକରେ ଉପସ୍ଥିତ ରହିପାରିବେ ନାହିଁ । ସେ ଶରଦ ପୱାରଙ୍କୁ ଏନେଇ ସୂଚିତ କରିଛନ୍ତି, କିନ୍ତୁ ଆମ ପାର୍ଟୀର ଜଣେ ନେତା ସେଠରେ ଉପସ୍ଥିତ ରହିବେ ।

ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁ କରିବା ପାଇଁ ୧୫ ଜୁନରେ ଦିଲ୍ଲୀରେ ମମତା ବାନାର୍ଜୀଙ୍କ ଦ୍ାରା ଡକାଯାଇଥିବା ବୈଠକ ମିଳିତ ଭାବରେ ସବୁ ବିରୋଧୀ ଦଳ ଜଣେ ପ୍ରାର୍ଥୀଙ୍କୁ ବାଛିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ପ୍ରାୟ ୧୭ ଟି ରାଜନୈତିକ ଦଳ ଯୋଗଦେଇଥିବାବେଳେ, ଆମ୍ ଆଦମୀ ପାର୍ଟୀ, ତେଲଙ୍ଗାନା ରାଷ୍ଟ ସମିତି(ଟିଆରଏସ), ଶିରୋମଣୀ ଅକାଳୀ ଦଳ, ଏଆଇଏମଆଇଏମ ଏବଂ ବିଜୁ ଜନତା ଦଳ ଏଥିରେ ନିଜକୁ ଦୂରରେ ରଖିଥିଲେ ।

ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୪ ଜୁଲାଇରେ ସମାପ୍ତ ହେଉଛି ଏବଂ ତାଙ୍କ ସ୍ଥାନରେ ଆଗାମୀ ରାଷ୍ଟ୍ରପତି ପାଇଁ ୧୮ ଜୁଲାଇରେ ନିର୍ବାଚନ ହେବ ।

ରାଷ୍ଟ୍ରପତିଙ୍କ ନିର୍ବାଚନ ନିର୍ବାଚକ ମଣ୍ଡଳୀ ସଦସ୍ୟଙ୍କ ଦ୍ୱାରା କରାଯାଇଥାଏ ଯେଉଁଥିରେ ସଂସଦର ଉଭୟ ସଦନର ନିର୍ବାଚିତ ସଦସ୍ୟ ଏବଂ ଦିଲ୍ଲୀ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ ସବୁ ରାଜ୍ୟର ବିଧାନସଭା ସଦସ୍ୟ ରହିଥାନ୍ତି ।

ରାଜ୍ୟସଭା ଏବଂ ଲୋକସଭା କିମ୍ବା ରାଜ୍ୟର ବିଧାନସଭାର ମନୋନୀତ ସଦସ୍ୟ ନିର୍ବାଚକ ମଣ୍ଡଳୀରେ ସାମିଲ ହେବା ଯୋଗ୍ୟ ନୁହଁନ୍ତି, ତେଣୁ ସେ ନିର୍ବାଚନରେ ଭାଗ ନେବା ଯୋଗ୍ୟ ନୁହଁନ୍ତି । ଏହିଭଳି ବିଧାନ ପରିଷଦର ସଦସ୍ୟ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କରିପାରିବେ ନାହିଁ ।

 

Get real time updates directly on you device, subscribe now.