ନୁଆଦିଲ୍ଲୀ: “ଅଗ୍ନିପଥ’ ଯୋଜନାକୁ ବିରୋଧ କରି ସୋମବାର ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସଶସ୍ତ୍ର ବଳରେ ସ୍ୱଳ୍ପକାଳିନ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା “ଅଗ୍ନିପଥ’କୁ ବିରୋଧ କରି ୧୨ରୁ ଅଧିକ ରୋଜ୍ୟରେ ବିକ୍ଷୋଭ ଜାରି ରହିଛି । ଆନ୍ଦୋଳନକାରି ରେଳଷ୍ଟେସନ୍ଗୁଡ଼ିକୁ କେନ୍ଦ୍ର ସରକାରଙ୍କ ସମ୍ପତ୍ତି ଭାବି ନଷ୍ଟ କରିବାରେ ଲାଗିଛନ୍ତି। ଟ୍ରେନ୍ ପୋଡ଼ି, ଷ୍ଟେସନ୍ ଭାଙ୍ଗାରୁଜା ଭଳି ହିଂସାରେ ରେଳ ମନ୍ତ୍ରଳାୟର ୭୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଲାଣି।
ଏହାରି ମଧ୍ୟରେ ସରକାରଙ୍କ ଉପରେ ଚପ ସୃଷ୍ଟି କରିବା ପାଇଁ ୨୦ ତାରିଖ ଅର୍ଥାତ୍ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। କୌଣସି ନିର୍ଦ୍ଧିଷ୍ଟ ସଙ୍ଗଠନ ପକ୍ଷରୁ ଆନୁଷ୍ଠାନିକ ଭାବେ ଭାରତ ବନ୍ଦ ଡାକରା ଦିଆଯାଇ ନାହିଁ। ତେବେ ଭଙ୍ଗାରୁଜା ଆଶଙ୍କାରେ କେତେକ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୋସିଆଲ ମିଡିଆରେ ବନ୍ଦ ପାଳନ ସମ୍ପର୍କିତ ପୋଷ୍ଟଗୁଡ଼ିକ ବହୁଳ ପ୍ରସାରିତ ହୋଇଛି।
ହରିୟାଣାର ଫରିଦାବାଦ ପୋଲିସ ଆଇନଶୃଙ୍ଖଳା ଭଙ୍ଗ ହେବା ଆଶଙ୍କାରେ ଅତିରିକ୍ତ ୨ ହଜାର କର୍ମଚାରୀଙ୍କୁ ମୁତୟନ କରିବ ଏଥିସହ ଅସାମାଜିକ ତତ୍ତ୍ୱଙ୍କ ଉପରେ ନଜର ରଖିବା ପାଇଁ ସିସିଟିଭି ଓ ଭିଡିଓ ଗ୍ରାଫିର ସହାୟତା ନେବ। ସେହିପରି ଝାଡ଼ଖଣ୍ଡର ସ୍କୁଲଗୁଡ଼ିକ ବନ୍ଦ ରହିବ ବୋଲି ବିଭାଗୀୟ ସଚିବ ରାଜେଶ ଶର୍ମା ସୂଚନା ଦେଇଛନ୍ତି। ଉତ୍ତରପ୍ରଦେଶରେ “ଅଗ୍ନିପଥ’ ବିରୋଧୀଙ୍କ ଯୋଗୁ କିଛି ଅଞ୍ଚଳରେ ୧୪୪ ଧାରା କରାଯାଇଛି। ସୋସିଆଲ ମିଡିଆରେ ଗୁଜବ ସୃଷ୍ଟିକାରୀଙ୍କ ଉପରେ କଡ଼ା ନଜର ରହିଥିବା ପଞ୍ଜାବ ପୋଲିସ ପକ୍ଷରୁ କୁହାଯାଇଛି।