fbpx

ମହାରାଷ୍ଟ୍ରରେ ସରକାର ଗଠନ କରିବା ପ୍ରସ୍ତୁତିରେ ବିଜେପି ? ଶାହ-ନଡ୍ଡା-ଫଡଣବିସଙ୍କ ମଧ୍ୟରେ ହେବ ବୈଠକ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବଡ ଧରଣର ରାଜନୈତିକ ଭୂକମ୍ପ ସୃଷ୍ଟି ହୋଇଛି। ଶିବସେନାରେ ବିଦ୍ରୋହର ସ୍ଵର ଉଠିବା  ଏବଂ ବିଜେପି ସଂପର୍କରେ ଅନେକ ବିଧାୟକ ଖବର ମିଳିବା ପରେ ସରଗରମ ମହାରାଷ୍ଟ୍ର ରାଜନୀତି। ସ୍ଥିତିକୁ ଦେଖି ବିଜେପି ଗୋଟି ଚାଳନା ଆରମ୍ଭ କରିଦେଇଛି। ଏହି ଖବର ମଧ୍ୟରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଏବଂ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟରେ ବୈଠକ ହୋଇଛି। ଏପରିକି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡଣବିସଙ୍କ ସହିତ ଶାହ ଏବଂ ନଡ୍ଡାଙ୍କ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ମହାରାଷ୍ଟ୍ରରେ ସରକାର ଗଠନ କରିବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇାପାରେ।

ନଡ୍ଡାଙ୍କ ବାସଭବନରେ ଏ ସଂପର୍କରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ହୋଇଛି। ଅନ୍ୟପଟେ ମହାରାଷ୍ଟ୍ରର ମନ୍ତ୍ରୀ ସିନ୍ଦେ କିଛି ବିଧାୟକଙ୍କ ସହିତ ଗୁଜରାଟର ସୁରଟ ସହରରେ ଏକ ହୋଟେଲରେ ରହିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ରାଜନୀତି ଏକ ଭିନ୍ନ ମୋଡ ନେବାକୁ ଯାଉଛି। ଆଉ ଏବେ ଚିନ୍ତାରେ ମହାବିକାଶ ଅଘାଡି ମେଣ୍ଟ ସରକାର।

ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଏହା ସତ ଯେ ବିଧାନ ପରିଷଦ ନିର୍ବାଚନ ପରେ ସୋମବାର ରାତିରେ କିଛି ବିଧାୟକଙ୍କ ସହିତ ଯୋଗାଯୋଗ ହୋଇ ପାରିନାହିଁ। ମାତ୍ର ପାର୍ଟି ଏବେ ସେମାନଙ୍କ ସହ କଥା ହୋଇ ପାରିଛି। ମନ୍ତ୍ରୀ ଏକନାଥ ସିନ୍ଧେ ମୁମ୍ବାଇରେ ନାହାନ୍ତି। କିନ୍ତୁ ତାଙ୍କ ସହ ଯୋଗାଯୋଗ କରାଯାଇଛି। ତେବେ ସଞ୍ଜୟ ରାଉତ ସିନ୍ଧେଙ୍କ ସହିତ କେତେ ବିଧାୟକ ଅଛନ୍ତି ସେ ବିଷୟରେ କିଛି କହି ନାହାନ୍ତି।

ମହାରାଷ୍ଟ୍ର ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ଦାଦା ପାଟିଲ୍ କହିଛନ୍ତି, ରାଜ୍ୟର ରାଜନୈତିକ ଘଟଣାକ୍ରମ ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ଏଥିରେ କିଛି ପରିବର୍ତ୍ତନ ହେବା ଏବେଠୁ କହିବା ତରବରିଆ ହେବ। ସଞ୍ଜୟ ରାଉତଙ୍କ ଉସୁକାଇବା ପରି ଭାଷଣରୁ ହିଁ ତାଙ୍କ ପାର୍ଟିରେ ସମସ୍ୟା ହୋଇଛି। ଲୋକେ ତାଙ୍କୁ ବରଦାସ୍ତ କରିବେ ନାହିଁ। ଏହାର ଉଦାହରଣ ଏକନାତ ସିନ୍ଧେଙ୍କ ବିଦ୍ରୋହ।

ଏବେ ବିଜେପି ଶିବସେନାର ଅସନ୍ତୁଷ୍ଟ ବିଧାୟକଙ୍କୁ ନିଜ ଆଡକୁ ଟାଣି ମହାରାଷ୍ଟ୍ରରେ ସରକାର ଗଢିବାର ସୁଯୋଗ କେବେ ବି ହାତଛଡା କରିବ ନାହିଁ। ଦଳ ସର୍ବଦା ଶାସକ ଦଳର ବିଧାୟକଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖିଛି। ଆଗାମୀ ଦିନରେ ମହାରାଷ୍ଟ୍ର ରାଜନୀତି କେଉଁ ଦିଗକୁ ଗତି କରୁଛି ତାହା ଉପରେ ଏବେ ସଭିଙ୍କ ନଜର।

Get real time updates directly on you device, subscribe now.