ଉତ୍ତରାଖଣ୍ଡରେ ‘ନିର୍ଭୟା’ କାଣ୍ଡର ପୁନରାବୃତ୍ତି: ଚଳନ୍ତା କାର୍ରେ ମା’,ନାବାଳିକା ଝିଅକୁ ଗଣଦୁଷ୍କର୍ମ, କେନାଲ୍ କଡ଼ରେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ
ରୁର୍କୀ : ଗତ କିଛି ବର୍ଷ ତଳେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଘଟିଥିବା ‘ନିର୍ଭୟା’ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା ଲୋକଙ୍କ ମନରୁ ଲିଭିନଥିବାବେଳେ ଉତ୍ତରାଖଣ୍ଡରେ ପୁଣି ସେହି ଧରଣର ଏକ ଲଜ୍ଜାଜନକ ଘଟଣା ଲୋକଲୋଚନକୁ ଆସିଛି । ହରିଦ୍ୱାରର ରୁର୍କୀରେ ରହୁଥିବା ଜଣେ ମହିଳା ଓ ତାଙ୍କର ୬ ବର୍ଷର ନାବାଳିକା ଝିଅକୁ ଚଳନ୍ତା କାର୍ ଭିତରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତି ଉଭୟଙ୍କୁ କାର୍ରେ ଲିଫ୍ଟ ଦେବା ବାହାନାରେ ନିଜ ସାଙ୍ଗମାନଙ୍କ ସହ ଚଳନ୍ତା କାର୍ରେ ଗଣଦୁଷ୍କର୍ମ କରିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନାନୁଯାୟୀ, ମୁସଲିମ୍ ଧର୍ମପୀଠ ପୀରାନ ପଲ୍ଲୀଆରିରୁ ଜଣେ ମହିଳା ନିଜର ୬ ବର୍ଷର ଝିଅକୁ ଧରି ଘରକୁ ଫେରିବା ପାଇଁ ଗାଡ଼ିକୁ ଅପେକ୍ଷା କରିଥିଲେ । ଏହି ସମୟରେ ସୋନୁ ନାମକ ଜଣେ ଯୁବକ କାର୍ ଧରି ସେମାନଙ୍କ ନିକଟରେ ପହଞ୍ଚିବା ସହ କାର୍ରେ ଘରେ ଛାଡ଼ିଦେବା ପାଇଁ କହିଥିଲେ । ସେହି କାର୍ ଭିତରେ ସୋନୁଙ୍କ ସାଙ୍ଗ ମଧ୍ୟ ଥିଲେ । ତେବେ ରାତି ଅଧିକ ହୋଇଯାଇଥିବାରୁ ମହିଳା ଜଣକ ସେମାନଙ୍କ ସାଙ୍ଗରେ ଯିବା ପାଇଁ ରାଜି ହୋଇଯାଇଥିଲେ । କାର୍ଟି ଚାଲୁଥିବା ଅବସ୍ଥାରେ ସୋନୁ ଓ ତା’ ସାଙ୍ଗ ଉଭୟଙ୍କୁ ଦୁଷ୍କର୍ମ କରିଥିଲେ । ପରେ ସେମାନଙ୍କୁ ଏକ କେନାଲ୍ ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ଦୀର୍ଘ ସମୟ ପରେ ବହୁ କଷ୍ଟରେ ମହିଳା ଜଣକ ସ୍ଥାନୀୟ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଉଭୟ ମା’ ଓ ଝିଅଙ୍କୁ ନେଇ ଡାକ୍ତରଖାନାରେ ପରୀକ୍ଷା କରାଇଥିଲା । ଉଭୟ ମା’ ଓ ଝିଅ ଦୁଷ୍କର୍ମର ଶିକାର ହୋଇଥିବା ଡାକ୍ତରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସମର୍ଥ ହୋଇପାରି ନାହିଁ । ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ତୁରନ୍ତ ଧରିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।