fbpx

କେନ୍ଦ୍ରର ଚିଠି ଉପରେ ମମତାଙ୍କ ଜବାବ- ଅଗ୍ନିବୀର ହେଉଛନ୍ତି ବିଜେପିର କାର୍ଯ୍ୟକର୍ତ୍ତା, ମୁଁ କାହିଁକି ଚାକିରି ଦେବି

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଯୋଜନାକୁ ନେଇ ବିଜେପିକୁ ଶାଣିତ ସ୍ଵରରେ ହମଲା କରିଛନ୍ତି। ସେ କହିଛନ୍ତି ଅଗ୍ନିବୀର ହେଉଛନ୍ତି ବିଜେପିର କାର୍ଯ୍ୟକର୍ତ୍ତା। ଏପରିକି ଅଗ୍ନିବୀରଙ୍କୁ ରାଜ୍ୟରେ ଚାକିରିରେ ପ୍ରାଥମିକତା ଦେବାକୁ ମନା କରିଦେଇଛନ୍ତି ମମତା। କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ପତ୍ରରେ ଜବାବରେ ଏହା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ମଧ୍ୟ ମମତା ବିଜେପି ଉପରେ ଅଗ୍ନିପଥ ଯୋଜନା ଜରିଆରେ ସଶସ୍ତ୍ର କ୍ୟାଡର ପ୍ରସ୍ତୁତ କରୁଥିବା ଅଭିଯୋଗ କରି ସାରିଛନ୍ତି।

ମଙ୍ଗଳବାର ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ମୋତେ କେନ୍ଦ୍ର ପକ୍ଷରୁ ଏକ ଚିଠି ମିଳିଥିଲା, ଯେଉଁଥିରେ ରାଜ୍ୟ ସରକାର ଅଗ୍ନିବୀରଙ୍କୁ ଚାରି ବର୍ଷ ପରେ ଚାକିରି ଦେବାକୁ ଅପିଲ୍ କରାଯାଇଛି। ସେମାନେ ଚାହାନ୍ତି ଯେ, ମୁଁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଚାକିରି ଦିଏ। ଆମକୁ ଏପରି କରିବାର ଆବଶ୍ୟକତା ନାହିଁ ? ରାଜ୍ୟର ଯୁବକଙ୍କୁ ଚାକିରି ଦେବା ମୋର ପ୍ରାଥମିକତା ବୋଲି ମମତା ବାନାର୍ଜୀ କହିଛନ୍ତି।

ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ଅଗ୍ନିପଥ ଯୋଜନାକୁ ନେଇ ବିଜେପିକୁ ଟାର୍ଗେଟ୍ କରି ସାରିଛନ୍ତି। ଆମେ କାହିଁକି ବିଜେପିର ଅଇଳାକୁ ସଫା କରିବୁ ? ଯେତେବେଳେ କେନ୍ଦ୍ର ଚାରି ବର୍ଷ ପରେ ସେମାନଙ୍କୁ ଛାଡି ଦେବ ତେବେ ରାଜ୍ୟ ତାଙ୍କୁ ପୂରା କାର୍ଯ୍ୟକାଳର ଚାକିରି ଦେବାର ଦାୟିତ୍ଵ କାହିଁକି ଉଠାଇବ। କେନ୍ଦ୍ର ସରକାର କାହିଁକି ସେମାନଙ୍କୁ ୬୦ ବର୍ଷ ପର‌୍ୟ୍ୟନ୍ତ ଚାକିରି ଦେବାର ଦାୟିତ୍ଵ କାହିଁ ଉଠାଇବ ନାହିଁ ବୋଲି ମମତା ପ୍ରଶ୍ନ କରିଛନ୍ତି।

ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ ଅଗ୍ନିପଥ ଯୋଜନାକୁ ଭୋଟ୍ ସାଉଁଟେଇବା ଏବଂ କ୍ୟାଡର ଗଠନ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ଏହି ଯୋଜନାକୁ ସେ ଲଲିପପ୍ ବୋଲି କହିଛନ୍ତି। ବିଧାନସବାରେ ନିଜର ସମ୍ବୋଧନରେ ସେ କହିଛନ୍ତି, ଅଗ୍ନିପଥ ବାସ୍ତବରେ ଏକ ବିଜେପି କ୍ୟାଡର ଗଠନର ଏକ ପ୍ରକଳ୍ପ।

 

Get real time updates directly on you device, subscribe now.