fbpx

ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, କହିଲେ ଗଣମାଧ୍ୟମରେ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର…

ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଭାଜପାରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ତାଙ୍କ ମନ୍ତବ୍ୟ ଯୋଗୁଁ ଆଜି ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ସେ ହିଁ ସାରା ଦେଶରେ ନିଆଁଲଗାଇଛନ୍ତି ।

ପ୍ରଫେଟ ମହମ୍ମଦଙ୍କୁ ନେଇ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ସାରା ଦେଶରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା । ଏହି ସମୟରେ ନୂପୁର ଶର୍ମା, ହତ୍ୟା ଧମକ ଦିଆଯାଉଥିବାରୁ ଏବଂ ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଚାଲିଥିବା ମାମଲାଗୁଡିକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ତାଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ଦିଆଯାଉଥିବାରୁ ନୂପୁର ଭୟଭୀତ ଥିବା କହିଥିଲେ । ଯାହାର ଶୁଣାଣିରେ ନୂପୁରଙ୍କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟରେ ଏହି ଆବେଦନର ଶୁଣାଣି ହୋଇଥିଲା । ଶର୍ମାଙ୍କ ବିରୋଧରେ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ପିଟିସନର ଶୁଣାଣି ବେଳେ ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି, ଦେଶରେ ଯାହା ଘଟୁଛି ସେଥିପାଇଁ ସେ ଏକାକୀ ଦାୟୀ । ସେ ବିତର୍କରେ କିପରି ଭାବରେ ଉତ୍ତେଜିତ ହୋଇଥିଲେ ତାହା ଆମେ ଦେଖିଥିଲୁ । କିନ୍ତୁ ଜଣେ ଆଇନଜୀବୀ ହୋଇ ମଧ୍ୟ ସେ କିପରି ଭାବରେ ଏହି କଥା କହିଥିଲେ ତାହା ଲଜ୍ଜାଜନକ । ତାଙ୍କ ମନ୍ତବ୍ୟ ପାଇଁ ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଉଦୟପୁର ଘଟଣା ପାଇଁ ମଧ୍ୟ ସେ ଦାୟୀ । ତେଣୁ ସେ ସମଗ୍ର ଦେଶକୁ ଟିଭି ଜରିଆରେ ଆସି କ୍ଷମା ମାଗିବା ଉଚିତ ।

ଟିଭି ବିତର୍କ ସମୟରେ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନୂପୁର ତଦନ୍ତର ସମ୍ମୁଖୀନ ହୋଇଛନ୍ତି । ଭାଜପା ମଧ୍ୟ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ଏହି ଘଟଣାକୁ ନେଇ ଦେଶର ଅନେକ ସ୍ଥାନରେ ଅଶାନ୍ତି ଦେଖାଦେଇଥିଲା । ଏକାଧିକ ନୋଟିସ ସତ୍ତେ୍ୱ ନୂପୁରଙ୍କୁ ଗିରଫ କରାଯାଇନଥିବାରୁ ଦିଲ୍ଲୀ ପୋଲିସକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ ।

Get real time updates directly on you device, subscribe now.