fbpx

ରାଗିଂ ବିରୋଧରେ ଅଣ୍ଟା ଭିଡିଲା ପ୍ରଶାସନ: ଏହି ଜିଲ୍ଲାରେ ଉପଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

ଗଜପତି: ରାଗିଂ ଯୋଗୁ ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ପରେ ସଜାଗ ହୋଇ ଉଠିଛି ପ୍ରଶାସନ । ବିଳମ୍ବରେ ହେଲେ ବି ପ୍ରଶାସନର ନିଦ ଭାଙ୍ଗିଛି । ରାଗିଂ ଯୋଗୁ ରୁଚିକାଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ର୍ୟାଗିଂ ମାମଲା ସାମ୍ନାକୁ ଆସିଛି । ତେଣୁ ଏହା ବିରୋଧରେ ପ୍ରଶାସନ ଏବେ ତତ୍ପରତା ଦେଖାଇଛି ।

ପ୍ରଶାସନିକ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଆଜି ଅତର୍କିତ ଭାବେ ଗଜପତି ଜିଲ୍ଲାର ବିଭିନ୍ନ କଲେଜ ପରିଦର୍ଶନ କରିବା ସହ ସ୍ଥିତିର ଅନୁଧ୍ୟାନ କରାଯାଇଛି । କଲେଜର ବିଭିନ୍ନ ସମସ୍ୟା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ କଲେଜ କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଅଧିକାରୀ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଓ ସେଞ୍ଚୁରିୟନ ୟୁନିଭରସିଟିରେ ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀଙ୍କୁ ଏ ସମ୍ପର୍କରେ ସଜାଗ ରହିବାକୁ ସଚେତନ କରିଛି ଜିଲ୍ଲା ପ୍ରଶାସନ । ସେହିପରି ଅତିରିକ୍ତ ଜିଲ୍ଲାପାଳ ସେଞ୍ଚୁରିୟନ ୟୁନିଭରସିଟି ପରିଦର୍ଶନ କରିଛନ୍ତି, ଏଥିସହିତ ପିଏଆଇଟିଡିଏଙ୍କ ନେତୃତ୍ୱରେ ଏକ ଟିମ୍ ମହିଳା ମହାବିଦ୍ୟାଳୟ ଅନୁଧ୍ୟାନ କରିଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

କିନ୍ତୁ ସମସ୍ତ ଶିକ୍ଷାନୁଷ୍ଠାନରେ ଆଣ୍ଟି ରାଗିଙ୍ଗ ସ୍କ୍ୱାର୍ଡ ରହିଛି କି ନାହିଁ ଏବଂ ତାହା ସଠିକ କାର୍ଯ୍ୟକାରୀ ହେଉଛି କି ନାହିଁ ସେ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ରାଜ୍ୟର ବିଭିନ୍ନ କଲେଜରେ ଘଟୁଥିବା ରାଗିଂ ରୋକିବାକୁ ସରକାର ପଦକ୍ଷେପ ନେଉଛନ୍ତି । ସରକାର ଏଥିପ୍ରତି ସମସ୍ତ ଜିଲ୍ଲାପାଳଙ୍କୁ ଦୃଷ୍ଟି ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.