fbpx

ପୁଣି ରେଡ୍‌ ଜୋନକୁ ଫେରିଲା ଖୋର୍ଦ୍ଧା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ବଢ଼ିଲା କୋରୋନା । କରୋନା ଯୋଗୁଁ ପୁଣି ଥରେ ରେଡ୍‌ ଜୋନକୁ ଫେରିଛି ଖୋର୍ଦ୍ଧା । କଟକ ଓ ପୁରୀ ଜିଲ୍ଲା ମଧ୍ୟ ରେଡ୍ ଜୋନରେ ସାମିଲ ହୋଇଛି । ଖୋର୍ଦ୍ଧାରେ ଟିପିଆର ୧୦.୬, ପୁରୀରେ ୮.୧ ଓ କଟକରେ ୭.୭ ରହିଛି । ଅନ୍ୟପଟେ ଭୁବନେଶ୍ବରରେ ସମସ୍ତଙ୍କୁ କୋରୋନା ନିୟମ ମାନିବାକୁ ମେୟର ଅପିଲ୍‌ କରିଛନ୍ତି ।

ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦୈନିକ କରୋନା ସଂକ୍ରମଣ ୫ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୨୧୨ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୩୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୫୯ ଆକ୍ରାନ୍ତ ଥିବା ଜଣାପଡିଛି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୮୯, ଷ୍ଟେଟପୁଲରୁ ୫୧, ସୁନ୍ଦରଗଡ଼ ଓ ପୁରୀରୁ ୧୭ ଲେଖାଏଁ, ସୋନପୁରରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୨, ୯୨୮କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୨୭୯୫ ରହିଛି । ୨୪ ଘଣ୍ଟା ମଧ୍ୟରେ ୨୦୪ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨,୮୦,୯୫୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.