fbpx

ଆଜି ଇଂଲଣ୍ଡ-ଭାରତ ତୃତୀୟ ଟି-୨୦: କ୍ଲିନ ସ୍ୱିପ ଲକ୍ଷ୍ୟରେ ରୋହିତ ସେନା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ ଜିତି ସିରିଜ ଉପରେ କବଜା କରିଛି ଟିମ ଇଣ୍ଡିଆ । ଏବେ ଘରୋଇ ମାଟିରେ ଇଂଲଣ୍ଡକୁ କ୍ଲିନ ସ୍ୱିପ କରିବା ପାଇଁ ଲକ୍ଷ୍ୟ ରଖିଛି ରୋହିତ ସେନା । ଏଥିପାଇଁ ଦଳର ରଣନୀତି ଏବଂ ଖେଳାଳିମାନଙ୍କୁ ନେଇ ବେଶ ଏକ୍ସପେରିମେଣ୍ଟ ମଧ୍ୟ ଜାରି ରହିଛି । ତେବେ ଆଜିର ମ୍ୟାଚ ବିଜୟରେ ଇଂଲଣ୍ଡକୁ କ୍ଲିନ ସ୍ୱିପ କରିବ ମେନ ଇନ ବ୍ଲୁ ।

ଆଜି ଟ୍ରେଣ୍ଟ ବ୍ରିଜରେ ଖେଳାଯିବ ଇଂଲଣ୍ଡ-ଭାରତ ସିରିଜର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ । ଏହି ସିରିଜରେ ପ୍ରଥମ ଦୁଇଟି ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ଭାରତ । ଫଳରେ ସିରିଜ ମଧ୍ୟ ନିଜ ନାମରେ କରି ସାରିଛି । କିନ୍ତୁ ଏହାପରେ ଟିମ ଇଣ୍ଡିଆ ଟି-୨୦ ସିରିଜକୁ କ୍ଲିନ ସ୍ୱିପ କରିବା ଲକ୍ଷ୍ୟରେ ରହିଛି । ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜାଙ୍କ ସମେତ ଭୁବନେଶ୍ୱର କୁମାର ଏବଂ ୟୁଜବେନ୍ଦ୍ର ଚହଲ ଜବରଦସ୍ତ ଫର୍ମରେ ରହି ବୋଲିଂ ଆଟାକକୁ ଆହୁରି ମଜବୁତ କରିଛନ୍ତି । ସେହିପରି ଅଧିନାୟକ ରୋହିତ ଶର୍ମା ଧିରେ ଧିରେ ଫର୍ମକୁ ଫେରିବା ପାଇଁ ଚେଷ୍ଟା କରୁଛନ୍ତି ।

କିନ୍ତୁ ଦଳ ପାଇଁ ଚିନ୍ତାର ସବୁଠୁ ବଡ କାରଣ ପାଲଟିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି । ଖରାପ ଫର୍ମ ଯୋଗୁଁ ସେ ଏକ ବଡ ପାଳି ଖେଳିବାରେ ଅସମର୍ଥ ହେଉଛନ୍ତି । ଯାହା ଫଳରେ ଦଳ ଏକ ବଡ ସ୍କୋର କରିବାରୁ କିଛି ରନ ପଛରେ ପଡିଯାଉଛି । ଏହା ସହିତ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସେତେଟା ବଡ ରନ କରିବାରେ ସଫଳ ହୋଇନାହାନ୍ତି । ତେବେ ଦମଦାର ଫର୍ମରେ ରହିଥିବା ଦୀପକ ହୁଡ୍ଡାଙ୍କୁ ଦ୍ୱିତୀୟ ମ୍ୟାଚରେ ନ ଖେଳାଇବା ନିଷ୍ପତ୍ତିକୁ ନେଇ ଅନେକ ଲୋକ ରୋହିତଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଭୁବିଙ୍କ ସ୍ୱିଙ୍ଗ ଏବଂ ଜାଡେଜାଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ମ୍ୟାଚକୁ ନିଜ ନାମରେ କରିପାରିଛି ଟିମ ଇଣ୍ଡିଆ । ଗତକାଲି ମ୍ୟାଚରେ ସାର ଜାଡେଜା ମାତ୍ର ୨୯ ବଲରୁ ୪୬ ରନର ଏକ ବିସ୍ପୋରକ ଇନିଂସ ଖେଳି ଦଳକୁ ୧୭୦ ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ସେହିପରି ବୋଲିଂରେ ଭୁବନେଶ୍ୱର କୁମାର ୩ ଓଭରରେ ମାତ୍ର ୧୫ ରନ ଦେଇ ୩ଟି ୱିକେଟ ହାସଲ କରିଥିଲେ । ଫଳରେ ମାତ୍ର ୧୨୧ ରନରେ ଇଂଲଣ୍ଡକୁ ଅଲଆଉଟ କରି ମ୍ୟାଚ ଏବଂ ସିରିଜ ଉପରେ କବଜା କରି ନେଇଛି ରୋହିତ ବ୍ରିଗେଡ ।

Get real time updates directly on you device, subscribe now.