fbpx

୨୦୨୩ରେ ଚୀନ ନୁହେଁ, ଭାରତ ହୋଇପାରେ ସବୁଠୁ ଜନସଂଖ୍ୟା ବହୁଳ ଦେଶ: ୟୁଏନ

ନୂଆଦିଲ୍ଲୀ: ଜନସଂଖ୍ୟା ମାମଲାରେ ଭାରତ ଆସନ୍ତା ବର୍ଷ ଚୀନକୁ ପଛରେ ପକାଇପାରେ। ମିଳିତ ଜାତିସଂଘ ପକ୍ଷରୁ ସୋମବାର ଜାରି ରିପୋର୍ଟରେ ଏହି ଦାବି କରାଯାଇଛି। ରିପୋର୍ଟ ମୁତାବକ ୨୦୨୨ ନଭେମ୍ବର ମଧ୍ୟଭାଗ ସୁଦ୍ଧା ଦୁନିଆର ଜନସଂଖ୍ୟା ୮ ବିଲିୟନରେ ପହଞ୍ଚିଯିବ।

ସଦ୍ୟତମ ରିପୋର୍ଟ ଅନୁସାରେ, ୨୦୨୨ରେ ଭାରତର ଜନସଂଖ୍ୟା ୧୪୦ କୋଟି ୧୨ ଲକ୍ଷ ଥିବା ବେଳେ ଚୀନର ଜନସଂଖ୍ୟା ୧୪୦ କୋଟି ୨୬ ଲକ୍ଷ ରହିଛି। ମିଳିତ ଜାତିସଂଘ ଅନୁମାନ ଯେ, ଭାରତରେ ୨୦୫୦ ବେଳକୁ ଜନସଂଖ୍ୟା ୧୬୦ କୋଟି ୮୦ ଲକ୍ଷରେ ପହଞ୍ଚି ଯାଇଥିବ।

ଦୁନିଆର ଜନସଂଖ୍ୟା ୧୯୫୦ ମସିହା ପରଠୁ ସର୍ବନିମ୍ନ ଗତିରେ ଆଗକୁ ବଢୁଛି। ୨୦୨୦ରେ ବିଶ୍ଵ ଜନସଂଖ୍ୟାରେ ଏକ ପ୍ରତିଶତ ହ୍ରାସ ପାଇଥିଲା। ୟୁଏନର ଅନୁମାନ ମୁତାବକ ୨୦୩୦ ସୁଦ୍ଧା ଦୁନିଆର ଜନସଂଖ୍ୟା ୮.୫ ବିଲିୟନ ଏବଂ ୨୦୫୦ ସୁଦ୍ଧା ୯.୭ ବିଲିୟନ ପର‌୍ୟ୍ୟନ୍ତ ପହଞ୍ଚିଯିବ। ସେହି ପରି ୨୦୮୦ ସୁଦ୍ଧା ଦୁନିଆର ଜନସଂଖ୍ୟା ପାଖାପାଖି ୧୦.୪ ବିଲିୟନରେ ପହଞ୍ଚିଯିବ।

୨୦୨୨ରେ ଦୁନିଆର ସବୁଠୁ ଜନସଂଖ୍ୟାବହୁଳ ଅଞ୍ଚଳ ହେଉଛି ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଏସିଆ। ଏହି ଅଞ୍ଚଳରେ ୨.୩ ବିଲିୟନ ଲୋକ ରହୁଛନ୍ତି, ଯାହା ବିଶ୍ଵ ମୋଟ୍ ଜନସଂଖ୍ୟାର ୨୯ ପ୍ରତିଶତ। ମଧ୍ୟ ଏବଂ ଦକ୍ଷିଣ ଏସିଆର ଜନସଂଖ୍ୟା ୨.୧ ବିଲିୟନ ରହିଛି, ଯାହା ବିଶ୍ଵ ଜନସଂଖ୍ୟାର ୨୬ ପ୍ରତିଶତ। ୨୦୨୨ରେ ୧.୪ ବିଲିୟନ ଜନସଂଖ୍ୟା ସହିତ ଚୀନ ଏବଂ ଭାରତ ଏହି ଅଞ୍ଚଳରେ ବୃଦ୍ଧି ଜନସଂଖ୍ୟା ପାଇଁ ଦାୟୀ ଥିବା ରିପୋର୍ଟରେ କୁହାଯାଇଛି।

Get real time updates directly on you device, subscribe now.