fbpx

ଯୁଦ୍ଧ ମଇଦାନକୁ ଓହ୍ଲାଇଲେ ‘ଦ ଗ୍ରେଟ’ ଖଲୀ: ଏଥର ବକ୍ସରେ ନୁହେଁ, ଟୋଲ ପ୍ଲାଜାରେ ହେଲା ଲଢେଇ

ନୂଆଦିଲ୍ଲୀ: ପୁଣିଥରେ ଯୁଦ୍ଧ ମଇଦାନକୁ କମବ୍ୟାକ କରିଛନ୍ତି ଭାରତର ପୂର୍ବତନ ଷ୍ଟାର ରେସଲର ଦ ଗ୍ରେଟ ଖଲୀ । କିନ୍ତୁ ରେସଲିଙ୍ଗ ବକ୍ସକୁ ନୁହେଁ । ଏବେ ଅନ୍ୟ ଏକ ଜାଗାରେ ତାଙ୍କୁ ମାରପିଟ କରୁତିବା ଦେଖିବାକୁ ମିଳିଛି । ପଞ୍ଜାବର ଏକ ଟୋଲ ପ୍ଲାଜାରେ ଖଲୀ ଗଣ୍ଡଗୋଳ କରିଥିବା ନେଇ ବିବାଦ ଆରମ୍ଭ ହୋଇଯାଇଛି । ଟୋଲ ପ୍ଲାଜାର କର୍ମଚାରୀଙ୍କୁ ମାଡ ମାରିଥିବା ନେଇ ଖଲୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଖଲୀ ଜଳନ୍ଧରରୁ କରନାଲ ଯାଉଥିବା ସମୟରେ ଘଟିଛି ଏଭଳି ଏକ ଘଟଣା । ଟୋଲ ପ୍ଲାଜାର କର୍ମୀମାନେ ଖଲୀଙ୍କ ସହ ଗାଡିରେ ବସି ଫଟୋ ଉଠାଇବାକୁ ଇଚ୍ଛା କରିଥିଲେ । ତେବେ ଖଲୀ ଏହାକୁ ମନା କରିବାରୁ କର୍ମଚାରୀମାନେ ଦୁର୍ବ୍ୟବହାର କରିଥିବା ଖଲୀ ଅଭିଯୋଗ କରିଛନ୍ତି । ସେପଟେ ଟୋଲ କର୍ମଚାରୀଙ୍କ ଅଭିଯୋଗ ରହିଛି ସମ୍ପୂର୍ଣ୍ଣ ଭିନ୍ନ । ଖଲୀଙ୍କୁ ପରିଚୟ ପତ୍ର ମାଗିବାରୁ ଖଲୀ ରାଗି ଯାଇ କର୍ମଚାରୀଙ୍କୁ ହାତ ଉଠାଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ବିବାଦ ବଢିବାରୁ ଟୋଲ କର୍ମୀମାନେ ପୋଲିସକୁ ଖବର ଦେଇଥିଲେ । ଏହାସହିତ ଖଲୀ ଜଣେ କର୍ମୀଙ୍କୁ ଚାପୁଡା ମାରିଥିବା ଅଭିଯୋଗ କରିଛନ୍ତି ଟୋଲ ପ୍ଲାଜାର କର୍ମଚାରୀ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିବା ପରେ ମାମଲା ଥଣ୍ଡା ହୋଇଥିଲା । ତେବେ ଟୋଲ ପ୍ଲାଜାରେ ହୋଇଥିବା ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଖଲୀ ନିଜ ପରିଚୟ ପତ୍ର ନଥିବା କହୁଥିବାର ଶୁଣିବାକୁ ମିଳିଛି । ତେବେ କୌଣସି କର୍ମଚାରୀଙ୍କ ମାଡ ମାରିବାର ଦୃଶ୍ୟ ଭିଡିଓରେ କଏଦ ହୋଇପାରିନି ।

Get real time updates directly on you device, subscribe now.