ଟ୍ୱିଟରରୁ ଚୋରି ହେଲା ୫୪ ଲକ୍ଷ ୟୁଜର୍ସଙ୍କ ପର୍ସନାଲ ଡାଟା: ଆପଣ ନାହାନ୍ତି ତ ହ୍ୟାକର୍ସଙ୍କ ଲିଷ୍ଟରେ?

ନୂଆଦିଲ୍ଲୀ: ଆଜିର ଯୁଗରେ ସୋସିଆଲ ମିଡିଆ ଲୋକମାନଙ୍କ ପାଇଁ ଯେତିକି ଦରକାରୀ ସେତିକି ବିପଦପୂର୍ଣ୍ଣ । ସାରା ଦୁନିଆରେ ଆକ୍ଟିଭ ରହିଥିବା ହ୍ୟାକର୍ସମାନଙ୍କ ନଜର ଏବେ ସୋସିଆଲ ମିଡିଆ ଆକାଉଣ୍ଟରେ ରହିଛି । ତେବେ ଏହାରି ମଧ୍ୟରେ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଟ୍ୱିଟର ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ୟୁଜରମାନଙ୍କର ଡାଟା ଲିକ ହେଉଥିବା ଜାଣିବାକୁ ମିଳିଛି । ଏହା ସହିତ ସମସ୍ତ ତଥ୍ୟଗୁଡିକୁ ହ୍ୟାକର୍ସମାନେ ନିଲାମ କରୁଥିବା କୁହାଯାଇଛି ।

ସୂଚନା ଅନୁସାରେ, ଟ୍ୱିଟର ଡାଟାବେସରେ ଏକ ଅସୁବିଧା ଯୋଗୁଁ ୫.୪ ମିଲିୟନ(୫୪ ଲକ୍ଷ)ଉପଭୋକ୍ତାଙ୍କ ପର୍ସନାଲ ଡାଟା ଲିକ ହୋଇଥିବା ଜଣାଯାଇଛି । ଏହାପରେ ହ୍ୟାକର୍ସମାନେ ଏହି ଡାଟାକୁ ୩୦ ହଜାର ଡଲାର ଅର୍ଥାତ ୨୩.୯୬ ଲକ୍ଷ ଟଙ୍କା ବିନିମୟରେ ନିଲାମ କରୁଛନ୍ତି । ଏ ମାମଲା ନେଇ କୌଣସି ପ୍ରତିକ୍ରିୟା ରଖିନି ସୋସିଆଲ ମିଡିଆ ଆପ୍ ଟ୍ୱିଟର । ତେବେ ଗତ ଜାନୁୟାରୀରେ ଟ୍ୱିଟରରେ ଏହି ଅସୁବିଧା ଯୋଗୁଁ ୟୁଜର୍ସମାନଙ୍କ ପର୍ସନାଲ ଡାଟା ବିପଦରେ ଥିବା ରିପୋର୍ଟ ମିଳିଥିଲା । ତେବେ ଏହି ଡାଟାରେ ଫୋନ ନମ୍ବର ସମେତ ଇମେଲ ଆଡ୍ରେସ ଏବଂ ଅନ୍ୟାନ୍ୟ ଡାଟା ମଧ୍ୟ ଲିକ ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା ।

ଏହି କମି ଯୋଗୁଁ କୌଣସି ହ୍ୟାକର ଆପଣଙ୍କ ଫୋନ ନମ୍ବର କିମ୍ବା ଇମେଲ ଜାଣି ପାରିବ । ଏହାସହିତ ଆପଣଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ଖୋଜି ବାହାର କରିପାରିବ । ଏମିତିକି ଆପଣ କୌଣସି ତଥ୍ୟ ପ୍ରାଇଭେସିରେ ସେଭ କରିଥିଲେ ମଧ୍ୟ ଏହାକୁ ଜଣେ ଅତି ସହଜରେ ଏନେବଲ କରି ପାରିବ । ତେବେ ଏହି ତ୍ରୁଟିକୁ ଧରିଥିବା ଅନୁସନ୍ଧାନକାରୀମାନେ ଏକ ପୋଷ୍ଟରେ ଏହାର ତଥ୍ୟ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଏହି ତ୍ରୁଟି ବିନା କୌଣସି ପ୍ରମାଣପତ୍ରରେ କାହାର ଟ୍ୱିଟର ଆକାଉଣ୍ଟକୁ ବ୍ୟବହାର କରିବା ପାଇଁ ଯେକୌଣସି ବ୍ୟକ୍ତିଙ୍କୁ ଅନୁମତି ଦେଇଥାଏ ।

ତେବେ ଏହି ତ୍ରୁଟିର ଏବେ ହ୍ୟାକରମାନେ ଫାଇଦା ଉଠାଇବାରେ ଲାଗିଛନ୍ତି । ଡାଟାବେସକୁ ଆକ୍ସେସ ଦେବା ପାଇଁ ଏବେ ଜଣେ ହ୍ୟାକର ୩୦ ହଜାର ଡଲାର ଅର୍ଥାତ ୨୩.୯୬ ଲକ୍ଷ ଟଙ୍କା ଦାବି କରିଛି । ତେବେ ଏହି ହ୍ୟାକର ବ୍ରିଚ୍ଡ ଫୋରମରେ ଡାଟାଗୁଡିକୁ ନିଲାମ କରୁଥିବା ମଧ୍ୟ ଜାଣିବାକୁ ମିଳିଛି । ତେବେ ଏ ମାମଲା ନେଇ କୌଣସି ପ୍ରତିକ୍ରିୟା ରଖିନି ଟ୍ୱିଟର ।