ଆପ୍ ସାଂସଦ ସଞ୍ଜୟ ସିଂହ ରାଜ୍ୟସଭାରୁ ସସପେଣ୍ଡ, ନାରାବାଜି ଏବଂ କାଗଜ ଫାଡି ଫିଙ୍ଗିବାରୁ ମିଳିଲା ସଜା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହଙ୍କୁ ରାଜ୍ୟସଭାରୁ ଗୋଟିଏ ସପ୍ତାହ ପାଇଁ ନିଲମ୍ବନ କରାଯାଇଛି। ଏବେ ସେ ଗୁରୁବାର ଏବଂ ଶୁକ୍ରବାର ରାଜ୍ୟସଭାର ଗୃହକାର୍ଯ୍ୟରେ ଯୋଗ ଦେଇ ପାରିବେ ନାହିଁ। ସେ ଆସନ୍ତା ସପ୍ତାହରେ ସଂସଦୀୟ କାର‌୍ୟ୍ୟରେ ଉପସ୍ଥିତ ହୋଇ ପାରିବେ। ନାରାବାଜି କରିବା, କାଗଜ ଫାଡିବା ଏବଂ ଏହାକୁ ଗୃହର ଅଧ୍ୟକ୍ଷଙ୍କ ଆଡକୁ ଫିଙ୍ଗିବା ଅପରାଧରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଗୃହରୁ ସସପେଣ୍ଡ କରାଯାଇଛି। ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ସିଂହଙ୍କ ପକ୍ଷରୁ ବୁଧବାର ଏହାର ସୂଚନା ଦିଆଯାଇଛି। ଏହା ପୂର୍ବରୁ ମଙ୍ଗଳବାର ଭିନ୍ନ ଭିନ୍ନ ଦଳର ୧୯ ରାଜ୍ୟସଭା ସାଂସଦକୁ ଗୃହରୁ ନିଲମ୍ବିତ କରାଯାଇଥିଲା।

କୁହାଯାଉଛି, ଆପ୍ ସାଂସଦ ସଞ୍ଜୟ ସିଂହ ଗୃହରେ ଗୁଜରାଟରେ ବିଷାକ୍ତ ମଦମୃତ୍ୟୁ ମାମଲା ଉଠାଉଥିଲେ। ଏହି ସମୟରେ ତାଙ୍କ ଉପରେ ନାରାବାଜି କରିବା, କାଗଜ ଫାଡିବା ଏବଂ ସ୍ପିକରଙ୍କ ଆଡକୁ ଫିଙ୍ଗିବା ଅଭିଯୋଗ ହୋଇଥିଲା। ସୂଚନାଯୋଗ୍ୟ, ଗୁଜରାଟର ବୋଟାଦରେ ବିଷାକ୍ତ ମଦ ପିଇବାରୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକଙ୍କ ଚିକିତ୍ସା ଜାରି ରହିଛି।

ଗତକାଲି ରାଜ୍ୟସଭାର ୧୯ ସାଂସଦଙ୍କୁ ଗୃହରୁ ଗୋଟିଏ ସପ୍ତାହ ପାଇଁ ନିଲମ୍ବିତ କରାଯାଇଥିଲା। ରାଜ୍ୟସଭାର ମଧ୍ୟଭାଗକୁ ଆସି ନାରାବାଜି କରିବା ଅଭିଯୋଗରେ ସାଂସଦମାନଙ୍କୁ ନିଲମ୍ବିତ କରାଯାଇଛି। ଏହା ପୂର୍ବରୁ ସୋମବାର ମଧ୍ୟ ଲୋକସଭାରେ ଚାରି ବିରୋଧୀ ସାଂସଦଙ୍କୁ ଗୃହରୁ ଚଳିତ ଅଧିବେଶନରୁ ସଂପୂର୍ଣ୍ଣ ଭାବେ ନିଲମ୍ବନ କରାଯାଇଛି।