fbpx

ଜଜମାନଙ୍କୁ ଟାର୍ଗେଟ୍ କରିବାର ଏକ ସୀମା ରହିଛି, ମିଡିଆ ରିପୋର୍ଟ ଉପରେ କ୍ଷୁବ୍ଧ ହେଲେ ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ: ଜଜଙ୍କୁ ଟାର୍ଗେଟ୍ କରିବାର ଏକ ସୀମା ରହିଛି। ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ଗଣମାଧ୍ୟମକୁ ନେଇ ଏହି ଟିପ୍ପଣୀ କରିଛନ୍ତି। ଜଜଙ୍କ ପକ୍ଷରୁ ମାମଲାର ଶୁଣାଣି କରାଯାଉନଥିବା ସଂପର୍କିତ ଏକ ମିଡିଆ ରିପୋର୍ଟକୁ ନେଇ ବିଚାରପତି ଚନ୍ଦ୍ରଚୂଡ ଏହା କହିଛନ୍ତି। ଓକିଲଙ୍କ ପକ୍ଷରୁ ଏକ ମାମଲାର ଶୁଣାଣି ଦାବି କରାଯାଉଥିଲା। ଖ୍ରୀଷ୍ଟିୟାନଙ୍କ ବିରୋଧରେ ହିଂସା ଏବଂ ଆକ୍ରମଣ ବିରୋଧରେ ଦାଖଲ ଏକ ଆବେଦନକୁ ପଞ୍ଜୀକୃତ କରାଯାଉ ବୋଲି ଦାବି ଉଠିଥିଲା। ଏହା ଉପରେ ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି, ଏହି ସମ୍ବନ୍ଧରେ ମୁଁ ଏକ ଖବର ପଢିଥିଲି ଯେ, ଏହି ମାମଲାକୁ ଶୁଣାଣି ପାଇଁ ନିଆଯାଉ ନାହିଁ।

ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି, ଜଜଙ୍କୁ ତ ବିରତି ଟିକେ ଦିଅ। ମୁଁ କରୋନା ସଂକ୍ରମିତ ଥିଲି। ଏଥିପାଇଁ ମାମଲାର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ଖବର ପଢିଥିଲି ଯେ, ଜଜ ଏହି ମାମଲାକୁ ଗମ୍ଭୀରତାର ସହ ନେଉ ନାହାନ୍ତି। ବିଚାରପତି କହିଛନ୍ତି, ଆମକୁ ଟାର୍ଗେଟ୍ କରାଯିବାର ଏକ ସୀମା ମଧ୍ୟ ରହିଛି। ଏହି ମାମଲାରେ ସୁପ୍ରିମକୋର୍ଟରେ ଜୁଲାଇ ୧୫ରେ ଶୁଣାଣି ହେବାର ଥିଲା। ମାତ୍ର ବିଚାରପତିଙ୍କ ଅନୁପସ୍ଥିତି କାରଣରୁ ଶୁଣାଣି ହୋଇ ପାରିନଥିଲା। ଏହି ଆବେଦନ ବେଙ୍ଗାଲୁରୁର ବିଶପ ଡ. ପିଟର ମାକାଡୋଙ୍କ ପକ୍ଷରୁ ଦାଖଲ କରାଯାଇଥିଲା। ସେ ଅଭିଯୋଗ କରିଥିଲେ ଯେ, ସମଗ୍ର ଦେଶରେ ଖ୍ରୀଷ୍ଟିୟାନ ପାଦ୍ରୀ ଏବଂ ଏହାର ସଂସ୍ଥା ଉପରେ ହମଲା କରାଯାଉଛି। ସଂସ୍ଥା ବିରୋଧରେ ହିଂସା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି।

ସୂଚନାଯୋଗ୍ୟ, ନିକଟ ଦିନରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ମଧ୍ୟ ଗଣମାଧ୍ୟମ ଉପରେ କଡା ଟିପ୍ପଣୀ କରିଥିଲେ। ସେ କହିଥିଲେ ସଂପ୍ରତି ଏଜେଣ୍ଡା ଭିତ୍ତିକ ବିତର୍କ କରାଯାଉଛି। ପୁଙ୍ଖାନୁପୁଙ୍ଖନ ଯାଞ୍ଚ ନକରି ବୈଦ୍ୟୁତିକ ଗଣମାଧ୍ୟମ ଦ୍ଵାରା କଙ୍ଗାରୁ କୋର୍ଟ କରାଯାଉଛି। ବିଶେଷ କରି ବିତର୍କ କାର‌୍ୟ୍ୟକ୍ରମରେ ଏବଂ ସାମାଜିକ ଗଣମାଧ୍ୟମରେ ଭ୍ରମିତ ସୂଚନା ଦିଆଯାଉଛି।

Get real time updates directly on you device, subscribe now.