fbpx

କ୍ରିକେଟ୍ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ ସୌରଭ ଗାଙ୍ଗୁଲି, ଜିମରେ ବୁହାଉଛନ୍ତି ଝାଳ

ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଏହି ବାମହାତୀ ବ୍ୟାଟସମ୍ୟାନ ଲିଜେଣ୍ଡ୍ସ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଏକ ବିଶେଷ କ୍ରିକେଟ୍ ମ୍ୟାଚରେ ଖେଳିବେ। ଶନିବାର ଖୋଦ୍ ଏହାର ସୂଚନା ଦେଇଛନ୍ତି ସୌରଭ ଗାଙ୍ଗୁଲି।

ଗାଙ୍ଗୁଲି ଇନଷ୍ଟାଗ୍ରାମରେ ଏହାର ଘୋଷଣା କରି କହିଛନ୍ତି, ସେ ଲିଜେଣ୍ଡ୍ସ ଲିଗ୍ କ୍ରିକେଟର ସିଜିନ ୨ରେ ଗୋଟିଏ ସ୍ଵତନ୍ତ୍ର ମ୍ୟାଚ୍ ଖେଳିବେ। ନିକଟରେ ଏଲଏସି ଘୋଷଣା କରିଥିଲା ଯେ, ଆଗାମୀ ସିଜିନ୍ ଭାରତରେ ଆୟୋଜନ ହେବ। ଏହି ପ୍ରକାରେ ଭାରତୀୟ ପ୍ରଶଂସକ ସୌରଭ ଗାଙ୍ଗୁଲିଙ୍କୁ ପୁଣି ଥରେ ଖେଳିବାକୁ ଦେଖିବାକୁ ପାଇବେ।

ଦାଦା ନାମରେ ପରିଚିତ ଗାଙ୍ଗୁଲି ଏହି ମ୍ୟାଚ୍ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତାଙ୍କୁ ଜିମରେ ଝାଳ ବୁହାଉଥିବା ଦେଖିବାକୁ ମିଳିଛି। ଜିମରେ ନିଜ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଏବଂ ଏଥିରେ ଲିଜେଣ୍ଡ୍ସ ଲିଗ୍ ଖେଳିବାର ସୂଚନା ମଧ୍ୟ ଦେଇଛନ୍ତି।

ଗାଙ୍ଗୁଲି କହିଛନ୍ତି, ସ୍ଵାଧୀନତାର ଅମୃତ ମହୋତ୍ସବ ପାଇଁ ଅର୍ଥ ଯୋଗାଡ ହେତୁ ଏକ ଚ୍ୟାରିଟି ମ୍ୟାଚ୍ ପାଇଁ ପ୍ରସ୍ତୁତି ଚଳାଇଛି। ଭାରତର ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦିଗଜଙ୍କ ସହିତ ମହିଳା ସଶକ୍ତିକରଣ ପାଇଁ ଲିଜେଣ୍ଡ୍ସ ଲିଗ୍ କ୍ରିକେଟରେ କିଛି ବଲକୁ ହିଟ୍ କରିବାର ଅଛି।

ସୌରଭ ଗାଙ୍ଗୁଲି ୧୧୩ ଟେଷ୍ଟ ଏବଂ ୩୧୧ ଦିନିକିଆରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି। ସେ ସମସ୍ତ ଫର୍ମାଟରେ ୧୮,୫୭୫ ରନ କରିଛନ୍ତି। ସେ ଦିନିକିଆ ଏବଂ ଟେଷ୍ଟରେ ୧୯୫ ମ୍ୟାଚରେ ଭାରତର ନେତୃତ୍ଵ ନେଇଛନ୍ତି। ଏଥିରୁ ଭାରତ ୯୭ଟିରେ ଜିତିବାରେ ସଫଳ ହୋଇଛି।

 

Get real time updates directly on you device, subscribe now.