ନୂଆଦିଲ୍ଲୀ: ନିଦ ଖରାପ୍ ହେବାରୁ ଦେଢ଼ ମାସର ନିଷ୍ପାପ ଶିଶୁକୁ ପିଟିପିଟି ହତ୍ୟା କରିଦେଲା ବାପା। ଏଭଳି ଏକ ବର୍ବର କାଣ୍ଡ ଘଟିଛି ଦିଲ୍ଲୀ ନିକଟସ୍ଥ ହରିୟାଣାର ପୁରୁଣା ଫରିଦାବାଦ୍ ରେ। ଶିଶୁଟିର ମାଆ ଏହି ଅଭିଯୋଗ ଆଣିଛନ୍ତି। ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ଅଭିଯୁକ୍ତ ବର୍ତ୍ତମାନ ସମୟରେ ଫେରାର୍ ଅଛନ୍ତି। ପୋଲିସ ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରିବ ବୋଲି କହିଛି।
ଶିଶୁଟି ଜନ୍ମ ହେବା ପରେ ଠିକ୍ ରେ ଦୁନିଆ କ’ଣ ଜାଣିବା ଆଗରୁ ତାର ଜୀବନ ଚାଲିଯାଇଛି। ତାର ନୃସଂଶ ପିତା ତାର ହତ୍ୟା କରିଦେଇଛି। ଏହି ଅଭିଯୋଗ ଶିଶୁଟିର ମା’ କରିଥିବା ବେଳେ ଦୁଇ ମାସ ତଳେ ସେମାନଙ୍କର ଦୁଇଟି ଜାଆଁଳା ସନ୍ତାନ ଜନ୍ମ ହୋଇଥିବା ଜଣାପଡିଛି। ମହିଳା ଜଣକ କହିଛନ୍ତି ଯେ, ସେ ତାଙ୍କର ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ନିକଟସ୍ଥ କଲୋନୀକୁ ଯାଇଥିଲେ । ଏହି ସମୟରେ ଗୋଟିଏ ପୁଅକୁ ତାଙ୍କର ସ୍ୱାମୀ ଅଟକାଇ ଦେଇଥିଲେ।
ତେବେ ସେ ଯେତେବେଳେ ଯାଇ ତାଙ୍କର ଭାଇଙ୍କ ଘରେ ପହଞ୍ଚିଥିଲେ, ସେହି ସମୟରେ ତାଙ୍କୁ ଶୀଘ୍ର ଘରକୁ ଫେରି ଆସିବାକୁ ତାଙ୍କର ସ୍ୱାମୀ ଫୋନ୍ ରେ କହିଥିଲେ। ମହିଳା ଘରକୁ ଫେରି ଦେଖିଲେ ଯେ, ଶିଶୁଟିର ମୃତ୍ୟୁ ହୋଇସାରିଛି। ପଡୋଶି କହିଛନ୍ତି ଯେ, ଶିଶୁଟି କାନ୍ଦୁଥିଲା। କିଛି ସମୟପରେ ତାର ପାଟି ନଶୁଭିବାରୁ ସେମାନେ ଯାଇ ଦେଖିଲେ ତ ତାର ମୁଁ ଏବଂ ନାକରୁ ରକ୍ତ ବାହାରୁଥିଲା। ଏହି ସମୟରେ ତାର ପିତା ସୁଯୋଗ ଦେଖି ଘଟଣା ସ୍ଥଳରୁ ଦୌଡ଼ି ଚାଲି ଯାଇଥିଲା।
ହତ୍ୟା ଅଭିଯୁକ୍ତ ସୁନ୍ଦର ରାତିରେ ଗାଡ଼ିର ଯାଞ୍ଚ କାମ କରନ୍ତି ଏବଂ ଦିନରେ ଶୁଅନ୍ତି। ଶୋଇବା ସମୟରେ ଯେତେବେଳେ ଶିଶୁଟି କାନ୍ଦିଥିଲା ଏହି ସମୟରେ ନିଦ ଖରାପ ହେବାରୁ ସୁନ୍ଦର ରାଗିଯାଇ ଶିଶୁଟିକୁ ପିଟିପିଟି ହତ୍ୟା କରି ଦେଇଥିଲା।