(Video) ରୋଗୀଙ୍କୁ ନର୍ସ ଫୋଡ଼ିଦେଲେ ଭୁଲ୍ ଇଞ୍ଜେକସନ୍: ୨୧ ନମ୍ବର ବେଡ୍ ଜାଗାରେ ୨୨ ନମ୍ବର ହୋଇଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଅବହେଳା କରାଯାଇଥାଏ । ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇଥାଏ । ଚିକିତ୍ସାରେ ଅବହେଳା, ବିଳମ୍ବ ଆଦି କାରଣରୁ ବହୁ ରୋଗୀ ମୃତ୍ୟୁବରଣ କରିଥିବାର ଅନେକ ଉଦାହରଣ ମଧ୍ୟ ରହିଛି । ତେବେ ନିକଟରେ ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି ।

ଖବର ମୁତାବକ, ଜଣେ ମହିଳାଙ୍କୁ କିଛିଦିନ ତଳେ ଜ୍ୱର ହୋଇଥିଲା । ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଚିକିତ୍ସା କରିବା ପରେ ମହିଳାଙ୍କର ନିମୋନିଆ ବାହାରିଥିଲା ଓ ସେ ଭଲ ହୋଇଯାଇଥିଲେ । ତେବେ ଏହାପରେ ତାଙ୍କର ଇସିଜି କରାଯାଇଥିଲା । ଇସିଜି ରିପୋର୍ଟ ଆସିବା ପରେ ଲଙ୍ଗସକୁ ପାଣି ଯାଇଛି ବୋଲି ଜଣାପଡ଼ିଥିଲା । ଆଉ ୬ ମାସ ପର୍ଯ୍ୟନ୍ତ ମେଡିସିନ ଖାଇଲେ ରୋଗ ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ ।

ହସ୍ପିଟାଲରେ ୨୨ ନମ୍ବର ବେଡରେ ମହିଳା ଜଣଙ୍କ ଚିକିତ୍ସିତ ହେଉଥିଲେ । ତେବେ ଜଣେ ନର୍ସ ୨୧ ନମ୍ବର ବେଡରେ ଦେବାକୁ ଥିବା ଇଞ୍ଜେକସନରେ ଭୁଲରେ ୨୨ ନମ୍ବରରେ ଦେଇଦେଇଥିଲେ । ଏହାପରେ ମହିଳାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ତେବେ ଏହି ଘଟଣା ପରେ ନର୍ସ ଜଣଙ୍କ ହସ୍ପିଟାଲର ଏକ ୱାସ୍ ରୁମରେ ଲୁଚିଥିଲେ । ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସ ଏଭଳି ତ୍ରୁଟି କରିଥିଲେ । ପରେ ମହିଳାଙ୍କୁ ଓଆରଏସ ଦିଆଯାଇଥିଲା ଓ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି ।

ଡାକ୍ତରଙ୍କୁ ସମସ୍ତେ ଭଗବାନ ବୋଲି ମାନୁଥିବା ବେଳେ ଚିକିତ୍ସା କ୍ଷେତ୍ରରେ ଏଭଳି ଅବହେଳା ଆଦୌ ଠିକ୍ ନୁହେଁ । ମହିଳାଙ୍କୁ ଭୁଲରେ କେଉଁ ଇଞ୍ଜେକସନ ଦିଆଯାଇଥିଲା, ତାହା ଡାକ୍ତର ଏ ପର୍ଯ୍ୟନ୍ତ କହୁ ନାହାନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷ ନିଜର ଦୋଷ ସ୍ୱୀକାର କରିବା ସହ ଭବିଷ୍ୟତରେ ଏଭଳି ଭୁଲ ନହେବା ଦରକାର ବୋଲି ମହିଳାଙ୍କ ପୁଅ କହିଛନ୍ତି ।