fbpx

ଅଯୋଧ୍ୟାରେ ରାମ ମନ୍ଦିରର ୪୦% କାମ ପୂରା, କେବେ ନିର୍ମାଣ ସରିବ କହିଲେ ଚମ୍ପତ ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଅଦ୍ୟାବଧି ମନ୍ଦିରର ନିର୍ମାଣ କାର୍ଯ୍ୟ ୪୦ ପ୍ରତିଶତ ପୂରା ହୋଇ ସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ବର୍ଷ ପୂର୍ବେ ବିଧିବତ ପୂଜାର୍ଚ୍ଚନା କରି ମନ୍ଦିରର ଶିଳାନ୍ୟାସ୍ କରିଥିଲେ। ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ କହିଛନ୍ତି ୨୦୨୩ରୁ ସମଗ୍ର ଦୁନିଆର ଭକ୍ତ ଭଗବାନ ରାମଙ୍କ ପୂଜା କରି ପାରିବେ। ମନ୍ଦିରର ଚତୁଃପାର୍ଶ୍ଵର ସଡକକୁ ସୁଧାରିବା ପାଇଁ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ଅଧିକାରୀ କହିଛନ୍ତି।

ଚମ୍ପତ ରାୟ କହିଛନ୍ତି, ମନ୍ଦିର ନିର୍ମାଣର ୪୦ ପ୍ରତିଶତରୁ ଅଧିକ କାମ ପୂରା ହୋଇ ସାରିଛି। ପ୍ଲିନ୍ଥ ବିମର କାମ ୮୦ ପ୍ରତିଶତରୁ ଅଧିକ କାମ ପୂରା ହୋଇ ସାରିଛି। ୨୦୨୩ ଡିସେମ୍ଵରରୁ ମନ୍ଦିର ଦର୍ଶନ ଆରମ୍ଭ ହେବାର ସମ୍ଭାବନା ରହିଛି। ଉଲ୍ଲେଖନୀୟ ଦେଶରେ ପରବର୍ତ୍ତୀ ଲୋକସଭା ନିର୍ବାଚନ ୨୦୨୪ରେ ହେବାକୁ ଯାଉଛି।

ଚମ୍ପତ ରାୟ କହିଛନ୍ତି, ଅଯୋଧ୍ୟାରେ କାରସେବକ ପୁରମରେ ଡେରା ପକାଇଛନ୍ତି ଏବଂ ନିର୍ମାଣକାମ ଦେଖାରେଖା କରୁଛନ୍ତି। ସେମାନେ ଲଗାତାର ବୈଠକ କରି ପ୍ରତି ଦିନ ମନ୍ଦିର କାମର ସମୀକ୍ଷା କରୁଛନ୍ତି। ନିର୍ମାଣରେ ଖର୍ଚ୍ଚ ହେଉଥିବା ଟଙ୍କାର ସ୍ରୋତ ବିଷୟରେ ପଚରା ଯିବାରୁ ଚମ୍ପତ ରାୟ କହିଛନ୍ତି, ଭଗବାନଙ୍କ କାର୍ଯ୍ୟ ପାଇଁ ଧନର ଅଭାବ ନାହିଁ। ଭଗବାନଙ୍କ ଚରଣରେ ଲକ୍ଷ୍ମୀ ବିରାଜମାନ ଥାଆନ୍ତି। ଟ୍ରଷ୍ଟର ଅଧିକାରୀଙ୍କ ମୁତାବକ ଅତି କମରେ ମନ୍ଦିରର ଆୟୂଷ ଯେମିତି ୧୦୦୦ ବର୍ଷ ରହିବ ତାହା ସୁନିଶ୍ଚିତ ପାଇଁ ବଡ ଏବଂ ଦୃଢ ଫାଉଣ୍ଡେସନ ପକାଯାଇଛି।

ଉଲ୍ଲେଖନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ଅଗଷ୍ଟ ୫ରେ ମନ୍ଦିର ନିର୍ମାଣର ଭୂମି ପୂଜନ କରିଥିଲେ। ଏହା ପୂର୍ବରୁ ୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ମାର୍ଗ ପ୍ରଶସ୍ତ ହୋଇଥିଲା।

ଯୋଜନା ମୁତାବକ ରାମ ମନ୍ଦିର ଆଖପାଖର ୭୦ ଏକରରେ ବାଲ୍ମିକୀ, କୈବର୍ତ୍ତ, ଶବରୀ, ଜଟାୟୁ, ସୀତା, ଗଣେଶ ଏବଂ ଲକ୍ଷ୍ମଣଙ୍କ ମନ୍ଦିର ମଧ୍ୟ ନିର୍ମାଣ କରାଯିବ। ମନ୍ଦିର ନିର୍ମାଣ ସହିତ ପ୍ରସିଦ୍ଧ ହନୁମାନଗଢି ମନ୍ଦିର ଆଡକୁ ଯାଇଥିବା ରାସ୍ତାର ପ୍ରଶସ୍ତୀକରଣ ପାଇଁ ଦୋକାନ ଏବଂ କୋଠା ଉଚ୍ଛେଦ କାମ ଜାରି ରହିଛି।

Get real time updates directly on you device, subscribe now.