fbpx

ନୌସେନାରେ ସାମିଲ ହେବ ଆଇଏନ୍‌ଏସ୍‌ ବିକ୍ରାନ୍ତ, ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ସ୍ୱଦେଶୀ କାରିଗରୀରେ ନିର୍ମିତ ଦେଶର ସର୍ବବୃହତ ମହାଶକ୍ତିଶାଳୀ ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ବିକ୍ରାନ୍ତ ଭାରତୀୟ ନୌସେନାରେ ସାମିଲ ହେବ । ଶୁକ୍ରବାର ପ୍ରଧାନମନ୍ତ୍ରୀ ଏହି ଯୁଦ୍ଧଜାହାଜକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । କେରଳର କୋଚି ସିପ୍‌ୟାର୍ଡରୁ ପ୍ରଧାନମନ୍ତ୍ରୀ ଏହାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ନୌସେନାରେ ସାମିଲ ହେବା ପରେ ଭାରତୀୟ ମହାସାଗରରେ ରାଜ୍‌ କରିବା କ୍ଷେତ୍ରରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।

୨୬୨ ମିଟର ଦୈର୍ଘ୍ୟ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ରହିବାକୁ ଥିବା ପ୍ରାୟ ୩୦ଟି ବିମାନ ଲାଗି ଭାରତ ନିକଟରେ ପ୍ରସ୍ତାବ ଦେଇଛନ୍ତି ଫ୍ରାନ୍ସର ଡାସଲଟ୍‌ ଓ ବୋଇଂ । ଏହି ଆଇଏନ୍‌ଏସ୍‌ ବିକ୍ରାନ୍ତରେ ୧୭ଶହରୁ ଅଧିକ ଯାତ୍ରୀ ବା ସୈନିକ ଯାଇପାରିବ । ଏଥିରେ ୨୩ଶହ କମ୍ପାଟମେଣ୍ଟ ରହିଛି । ଏହି ଯୁଦ୍ଧ ଜାହାଜ ଏକାଥରକେ ୭,୫୦୦ ନଟିକାଲ୍‌ ମାଇଲ୍‌ ଗତି କରିପାରିବ । ଏଥିରେ ମଧ୍ୟ ମିଗ-୨୯ ବିମାନ ରହିପାରିବ । ଏହାର ଉଚ୍ଚତା ୫୯ ମିଟର ହୋଇଥିବାବେଳେ ଫାଇଟର ଜେଟ୍‌ ଓ ହେଲିକପ୍ଟର ମଧ୍ୟ ଏଥିରେ ପରିବହନ କରାଯାଇପାରିବ । ଏହାର ୭୫% କମ୍ପାଟମେଣ୍ଟ ସ୍ୱଦେଶୀ କାରିଗରୀରେ ନିର୍ମିତ । ଏହା ପ୍ରତିରକ୍ଷା କ୍ଷେତ୍ରରେ ଏକ କବଚ ସାଜିବ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ଭାରତୀୟ ନୌସେନାର ୱାରସି୍‌ ଡିଜାଇନ୍‌ ବ୍ୟୁରୋ ଦ୍ୱାରା ନିର୍ମିତ ଏହି ଏୟାରକ୍ରାଫ୍ଟ କ୍ୟାରିୟର ଉତ୍ସର୍ଗ ପରେ ଦେଶର ସାମୁଦ୍ରିକ ପ୍ରତିରକ୍ଷା କ୍ଷେତ୍ରରେ ଏକ ନୂଆ ଇତିହାସ ଯୋଡ଼ି ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.