fbpx

(Video) ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ୭ ହଜାର ଲାଞ୍ଚ ନେଇ ଫସିଲେ

ବ୍ରହ୍ମପୁର, (ଓଡ଼ିଶା ଭାସ୍କର) : ରାଜ୍ୟରୁ ଦୁର୍ନୀତିର ବିଲୋପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ ଟଲେରାନ୍ସ ନୀତି ଆପଣାଇବା ନିମନ୍ତେ ନିର୍ଦ୍ଦେଶ ଦେବା ପରେ ଗତ କିଛି ଦିନ ହେବରାଜ୍ୟ ଭିଜିଲାନ୍ସ ବିଭାଗ ବେଶ୍ ସକ୍ରିୟ ହୋଇଉଠିଛି । ଏହିକ୍ରମରେ ପ୍ରତିଦିନ କେହି ନା କେହି ସରକାରୀ ବାବୁ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ୍ ଯାଉଥିବା ଦେଖିବାକୁ ମିଳୁଛି । ଏତେସବୁ ସତ୍ତେ୍ୱ ବି ଏହି ସରକାରୀ ବାବୁମାନଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ନଘଟିବା ବାସ୍ତବିକ ପରିତାପର ବିଷୟ ବୋଲି କୁହାଯାଇପାରେ । ଏହିକ୍ରମରେ ଶୁକ୍ରବାର ‘ମୋ ଗୁହାଳ’ ଯୋଜନାରେ ଏକ ବିଲ୍ ପାସ୍ ପାଇଁ ୭ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ।

ବୁରୁଝରି ପଞ୍ଚାୟତ ପି.ନୂଆଗାଁର ଜଣେ ହିତାଧିକାରୀ ନିର୍ମାଣ କରିଥିବା ଗୁହାଳ ଘରର ବକେୟା ଟଙ୍କା ପାଇବା ନିମନ୍ତେ କନିଷ୍ଠ ଯନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଶ୍ରୀ ମଲ୍ଲିକ ତାଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ହିତାଧିକାରୀ ଜଣକ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ, ହିତାଧିକାରୀ ଜଣକ କନିଷ୍ଠ ଯନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ତାଙ୍କ କାର୍ଯ୍ୟାଳୟରେ ୭ ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ସେଠାରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିନେଇଥିଲେ । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ସାକ୍ଷୀଙ୍କ ଉପସ୍ଥିତିରେ ଜବତ କରିଥିଲେ ।

ଭିଜିଲାନ୍ସ ଟିମ୍ ତାଙ୍କୁ ଏକ ଗୋପନୀୟ ସ୍ଥାନକୁ ନେଇ ପଚରା ଉଚୁରା ଚଳାଇଛି । ଅନ୍ୟପଟେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଆଉ ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୦ ତାରିଖରେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ.ବରିଡ଼ା ସର୍କଲ୍ର ଆର୍.ଆଇ. ଦେବାଶିଷ ମାଝୀ ଏକ ବାଲି ବୋଝେଇ ଟିପର୍କୁ ଛାଡ଼ିବା ପାଇଁ ଜରିମାନାବାଦ୍ ଅଧିକ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଥିଲେ ।

Get real time updates directly on you device, subscribe now.