fbpx

କୃତି ମାଟ୍ରିକ୍ ଛାତ୍ରଛାତ୍ରୀଙ୍କୁ ମିଳିଲା ୧୭ କୋଟିର ବୃତ୍ତି: ବାଗଚୀ କହିଲେ, ‘କଠିନ ସମୟରେ ବିବ୍ରତ ହୁଅ ନାହିଁ’

କେନ୍ଦୁଝର: ଉଚ୍ଚ ହେବା ପାଇଁ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ତେବେ କଠିନ ସମୟରେ ଆଦୌ ବିବ୍ରତ ନହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ । ଶୁକ୍ରବାର କେନ୍ଦୁଝର ଜିଲ୍ଲାରେ ଡିଏମଏଫ୍ ପକ୍ଷରୁ ମାଟ୍ରିକ୍ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ଅବସରରେ ଶ୍ରୀ ବାଗଚୀ ଏହା କହିଛନ୍ତି । ୩ୟ ବର୍ଷ ପାଇଁ ଡିଏମଏଫ୍ ପାଣ୍ଠିରୁ ୧୧,୬୦୫ ଛାତ୍ରଛାତ୍ରୀଙ୍କୁ ୧୭ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଏନେଇ ଆୟୋଜିତ ଏକ ଉତ୍ସବରେ ଶ୍ରୀ ବାଗଚୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସରକାରୀ ତଥା ଆଦର୍ଶ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ ସମୟରେ ଶ୍ରୀ ବାଗଚୀ କହିଥିଲେ, ଏପରି ଏକ ନିଆରା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନିଜକୁ ଗର୍ବିତ ମନେ କରୁଛନ୍ତି ଓ ଆନନ୍ଦ ଅନୁଭବ କରୁଛନ୍ତି । ତେବେ ପିଲାମାନଙ୍କ ସହ ଭାବ ବିନିମୟ କରିବା ସମୟରେ ଶ୍ରୀ ବାଗଚୀ ଭାବୁକ ହୋଇ କେନ୍ଦୁଝର ଡିଏନ୍ ହାଇସ୍କୁଲର ଛାତ୍ର ଥିବା କହିବା ସହ ନିଜ ପିଲାଦିନେ ସେ ବିତାଇଥିବା କଠିନ ସମୟ କିଭଳି ତାଙ୍କୁ ବଡ଼ କରାଇଥିଲା ସେନେଇ ସୂଚନା ଦେଇଥିଲେ ।

ଏହାସହ ଉଚ୍ଚ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ କିଭଳି ପ୍ରୟାସ କରିବାକୁ ପଡ଼ିବ ସେନେଇ ମଧ୍ୟ ଗୁରୁମନ୍ତ୍ର ଦେଇଥିଲେ । ୩ୟ ବର୍ଷ ପାଇଁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା । ୪୦ ହଜାର ଟଙ୍କାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ୨୫ ହଜାର , ୧୫ ହଜାର ଓ ସର୍ବନିମ୍ନ ୧୦ ହଜାର ଟଙ୍କା ଲେଖାଏଁ ବୃତ୍ତି ଦିଆଯାଇଥିବା ଜିଲ୍ଲାପାଳ ଆଶିଷ ଠାକରେ କହିଥିଲେ । ସେହି ଆଧାରରେ ଚଳିତ ବର୍ଷ ଜିଲ୍ଲାର ୧୧,୬୦୫ ଜଣ କୃତି ଛାତ୍ରଛାତ୍ରୀଙ୍କୁ ୧୭ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.