fbpx

ଚୀନକୁ ମାତ୍ ଦେବା ପାଇଁ ବଡ ପ୍ରସ୍ତୁତି, ସହଯୋଗୀ ଦେଶଗୁଡିକୁ ଅଧିକ ଯୁଦ୍ଧାସ୍ତ୍ର ବିକିବ ଆମେରିକା

ନୂଆଦିଲ୍ଲୀ: ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ଆମେରିକା ଆଉ ଏକ ନୂତନ ରଣନୀତି ଉପରେ କାମ କରିବା ଆରମ୍ଭ କରି ଦେଇଛି। ଚୀନକୁ ମାତ୍ ଦେବାକୁ ବ୍ୟାପକ ପ୍ରସ୍ତୁତି କରୁଛି ଆମେରିକା। ରଣନୀତି ସ୍ଵରୂପ ଆମେରିକା ସହଯୋଗୀ ଦେଶଗୁଡିକୁ ଅଧିକ ପରିମାଣରେ ଯୁଦ୍ଧାସ୍ତ୍ର ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ରିପୋର୍ଟ ଅନୁଯାୟୀ, ଆମେରିକା ନିଜର ପ୍ରଶାସନିକ ଆଇନ କାନୁନକୁ ଟିକେ ସରଳ କରି ନିଜ ସହଯୋଗୀ ଦେଶଗୁଡିକୁ ଅସ୍ତ୍ର ଶସ୍ତ୍ର ଯୋଗାଇବାକୁ ଅଣ୍ଟା ଭିଡିଛି। ଏହାର ଉଦ୍ଦେଶ୍ୟ ଚୀନକୁ ପ୍ରତିଟି ମୋର୍ଚ୍ଚାରେ ପ୍ରତିହତ କରିବା।
ପ୍ରତିରକ୍ଷା ବିଭାଗ ବିଦେଶରେ ଆମେରିକା ଯୁଦ୍ଧାସ୍ତ୍ର ବିକ୍ରିକୁ ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛି। ବିଶେଷ କରି ଯୁଦ୍ଧ ଉପକରଣ ସେହି ସହଯୋଗୀଙ୍କୁ ବିକ୍ରି କରାଯିବ ଯେଉଁମାନେ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଯୋଗାଇ ଦେଉଛନ୍ତି। ଉପକରଣରେ ଯୁଦ୍ଧ ଭଣ୍ଡାର ଭରି ଦେବାକୁ ୟୁରୋପୀୟ ସହଯୋଗୀଙ୍କୁ ପ୍ରତିଶ୍ରୁତି ଦେଇଛି ଆମେରିକା। ହେଲେ ଆମେରିକା ଖୋଦ୍ ନିଜର ପ୍ରତିରକ୍ଷା କ୍ଷେତ୍ରରେ ଯୁଦ୍ଧାସ୍ତ୍ର ଉତ୍ପାଦନରେ ସମସ୍ୟାର ସମ୍ମୁଖୀନ ହେଉଛି।

ପ୍ରତିରକ୍ଷା ବିଭାଗ ଗୋଟିଏ ବର୍ଷରେ ଥରୁଟିଏ ପ୍ରତିରକ୍ଷା ଉପକରଣ ପାଇଁ ଚୁକ୍ତିକୁ ମଞ୍ଜୁରୀ ଦେଇଥାଆନ୍ତି। ଏମିତି ସ୍ଥିତିରେ ନିର୍ଦ୍ଧାରିତ ସମୟରେ ଯେଉଁ ଦେଶକୁ ଉପକରଣ ମିଳିପାରେ ନାହିଁ ସେମାନଙ୍କୁ ଆହୁରି ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିଥାଏ। ଏଥିରେ ଆମେରିକାର ଯୁଦ୍ଧାସ୍ତ୍ର ରପ୍ତାନୀ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। ତେଣୁ ଯୁଦ୍ଧାସ୍ତ୍ର ରପ୍ତାନୀ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆମେରିକା ନିଜର ପ୍ରତିରକ୍ଷା ନୀତିରେ କିଛିଟା ପରିବର୍ତ୍ତନ କରିପାରେ। ଯୁଦ୍ଧାସ୍ତ୍ର ବିକ୍ରି କରିବା ନିଷ୍ପତ୍ତି ଆମେରିକା ସେହି ସମୟରେ ନେଇଛି, ଯେଉଁ ସମୟରେ ତାଇଓ୍ଵାନକୁ ନେଇ ଚୀନ ସହ ତାର ତିକ୍ତତା ବଢିଛି।

ଏହା ମଧ୍ୟରେ ଆମେରିକା ତାଇଓ୍ଵାନକୁ ଏକ ବିଲିୟନ ଡଲାରରୁ ଅଧିକ ଯୁଦ୍ଧ ଉପକରଣ ବିକ୍ରି କରିବାକୁ ଘୋଷଣା କରିଛି। ବୈଦେଶିକ ବିଭାଗ ଅନୁଯାୟୀ, ଏଥିରେ ସମୁଦ୍ରରୁ ନିକ୍ଷେପ କରାଯାଇ ପାରୁଥିବା କ୍ଷେପଣାସ୍ତ୍ର ଏବଂ ଆକାଶରୁ ଆକାଶ ମାର୍ଗରେ ଶତ୍ରୁର ଲକ୍ଷ୍ୟକୁ ଧ୍ଵଂସ କରୁଥିବା କ୍ଷେପଣାସ୍ତ୍ର ସାମିଲ୍। ଏଥିରେ ତାଇଓ୍ଵାନ ପ୍ରତିରକ୍ଷା ଦୃଷ୍ଟିରୁ ଆହୁରି ମଜବୁତ ହୋଇ ପାରିବ। ସୂଚନାଯୋଗ୍ୟ, ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ଵାନ ଗସ୍ତ ପରେ ଆମେରିକା ଏବଂ ଚୀନ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି। ଫଳସ୍ଵରୂପ ତାଇଓ୍ଵାନ ଉପରେ ଆକ୍ରମଣର ଧମକ ଦେବାକୁ ପଛାଇ ନାହିଁ ଚୀନ।

Get real time updates directly on you device, subscribe now.