୧୦ ଜଣରୁ ୯ ଜଣ ଶିଶୁଙ୍କଠାରେ ହାର୍ଟ ବୀମାରୀର ଆଶଙ୍କା ରହିଛି, ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ: ଆଜିର ସମୟରେ ହାର୍ଟ ରୋଗ ଏକ ମୁଖ୍ୟ ଚିନ୍ତାର ବିଷୟ ପାଲଟିଛି । ୧୦ ଜଣ ଶିଶୁଙ୍କ ମଧ୍ୟରୁ ୯ ଜଣଙ୍କ ଠାରେ ହାର୍ଟ ରୋଗର ଆଶଙ୍କା ରହିଛି । ନିକଟରେ କରାଯାଇଥିବା ଏକ ଷ୍ଟଡି ମୁତାବକ ପଞ୍ଜାବ ଓ ଦିଲ୍ଲୀର ଶିଶୁଙ୍କଠାରେ ସୁସ୍ଥ ହୃଦୟ ଜୀବନଶୈଳୀ ହ୍ରାସ ପାଉଛି । ପିଲାମାନଙ୍କର ଏଭଳି ଲାଇଫ୍ ଷ୍ଟାଇଲ ସେମାନଙ୍କୁ ବିପଦ ମଧ୍ୟକୁ ନେଇଯିବ ।

ଅଧ୍ୟୟନ ମୁତାବକ, ୫ରୁ ୧୮ ବର୍ଷ ପିଲାମାନେ ଏଥିରେ ବେଶି ପ୍ରଭାବିତ ହୋଇପାରନ୍ତି । ଏହି ଷ୍ଟଡିରେ ଏହି ବୟସର ୩୨୦୦ ପିଲାଙ୍କୁ ସାମିଲ କରାଯାଇଥିଲା । ପିଲାବେଳେ ମୋଟାପା ବୃଦ୍ଧି, ପର୍ଯ୍ୟାପ୍ତ ଶାରୀରିକ ଗତିବିଧି ହ୍ରାସ, କମ୍ ବୟସରେ ହୃଦ ରୋଗ ବୃଦ୍ଧି ଆଦି ଉପରେ ଷ୍ଟଡି କରାଯାଇଥିଲା । ଏଥିରେ ଶିଶୁମାନଙ୍କର ବଡି ମାସ ଇଣ୍ଡେକ୍ସ, ଶାରୀରିକ ଗତିବିଧି, ଶୋଇବା ସମୟ, ଆହାର ସମ୍ବନ୍ଧୀୟ ଅଭ୍ୟାସକୁ ଦୃଷ୍ଟି ଦିଆଯାଇଥିଲା ।

ଷ୍ଟଡିରେ ସାମିଲ ଶିଶୁମାନଙ୍କର ସର୍ବାଧିକ ପ୍ରାପ୍ୟ ସ୍କୋର ୧୦୦ ନିର୍ଦ୍ଧାରିତ କରାଯାଇଥିଲା । ୪୦ରୁ କମ୍ ସ୍କୋର ଥିବା ପିଲାଙ୍କୁ ବିପଦପୂର୍ଣ୍ଣ ଭାବେ ଗଣନା କରାଯାଇଥିଲା । ୭୦ରୁ ୧୦୦ ମଧ୍ୟରେ ସ୍କୋରକୁ ସୁସ୍ଥ, ୪୦ରୁ ୭୦ ମଧ୍ୟରେ ସ୍କୋରକୁ ମଧ୍ୟମ ଜୀବନଶୈଳୀର ଆବଶ୍ୟକତା ଥିବା ଦର୍ଶାଯାଇଥିଲା । ତେବେ ୨୪ ପ୍ରତିଶତ ଶିଶୁଙ୍କ ହୃଦୟ ସ୍ୱାସ୍ଥ୍ୟ ସ୍କୋର ୪୦ରୁ କମ୍ ଥିଲା । ୬୮ ପ୍ରତିଶତ ସ୍କୋର ୪୦ରୁ ୭୦ ମଧ୍ୟରେ ଥିଲା । ସେହିପରି ମାତ୍ର ୮ ପ୍ରତିଶତ ଶିଶୁଙ୍କ ଜୀବନଶୈଳୀ ସୁସ୍ଥ ହୃଦୟ ପ୍ରଣାଳୀ ପାଇଁ ଆବଶ୍ୟକ ସମସ୍ତ ମାନଦଣ୍ଡ ପୂରଣ କରିଥିବା ଦେଖାଯାଇଥିଲା ।