fbpx

ଯୀଶୁ ହିଁ ପ୍ରକୃତ ଭଗବାନ, ପାଦରୀଙ୍କ ସହ ଆଲୋଚନା କରି ଫସିଲେ ରାହୁଲ, ଯାତ୍ରାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ନୂଆଦିଲ୍ଲୀ: ସଂପ୍ରତି ୧୫୦ ଦିନିଆ ଭାରତ ଯୋଡୋ ଯାତ୍ରାରେ ବାହାରିଛନ୍ତି ରାହୁଲ ଗାନ୍ଧୀ। ତେବେ ଶୁକ୍ରବାର ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାରେ ଯାତ୍ରା ସମୟରେ ବିବାଦ ଦେଖା ଦେଇଛି। ରାହୁଲ ବିବାଦୀୟ କ୍ୟାଥୋଲିକ ଚର୍ଚ୍ଚର ପାଦରୀ ଜର୍ଜ ପୋନ୍ନେୟାଙ୍କୁ ଭେଟିଥିଲେ। ଆଉ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଏକ ଅଂଶ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଏବେ ଉକ୍ତ ଭିଡିଓକୁ ନେଇ ବିବାଦ ମୁଣ୍ଡ ଟେକିଛି। ଶାସକ ବିଜେପି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିବାକୁ ପଛେଇ ନାହିଁ। ଅନ୍ୟପଟେ ରାହୁଲଙ୍କ ପସକ୍ଷରେ ଆଗକୁ ଆସିଛି କଂଗ୍ରେସ।
କନ୍ୟାକୁମାରୀ ଜିଲ୍ଲାର ମୁଟ୍ଟିଡିଚନ ପରାଇ ଚର୍ଚ୍ଚରେ ରାହୁଲ ଗାନ୍ଧୀ ଏବଂ ପାଦରୀଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏହି ସମୟରେ ରାହୁଲ ଗାନ୍ଧୀ ଏହା ପଚାରୁଥିବା ଶୁଣିବାକୁ ମିଳିଛି ଯେ, ଯୀଶୁ ମସିହ ଭଗବାନଙ୍କ ଏକ ରୂପ ? କଣ ଏହା ଠିକ୍ କି ? ଏହାର ଉତ୍ତରରେ ପାଦରୀ ଜର୍ଜ ପୋନ୍ନିଆ କହିଛନ୍ତି, ନା ପ୍ରକୃତ ଭଗବାନ ତ ଯୀଶୁ। ବାସ୍ ଏହି ଅଂଶର ଭିଡିଓ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।

ଉଲ୍ଲେଖନୀୟ ପୋନ୍ନେୟା ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଗତ ବର୍ଷ ଜୁଲାଇରେ ମଦୁରାଇର କାଲିକୁଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହ, ଏଆଇଏଡିଏମକେ ନେତା ଏବଂ ଅନ୍ୟ ଲୋକଙ୍କ ବିରୋଧରେ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ। ଏହି ଅପରାଧ ପାଇଁ ସେ ଗିରଫ ମଧ୍ୟ ହୋଇଥିଲେ।

ବିଜେପି ମୁଖପାତ୍ର ଶେହଜାଦ ପୁନେଓ୍ଵାଲା କଂଗ୍ରେସକୁ ଟାର୍ଗେଟ୍ କରି ଏହା ହିଁ ଭାରତ ଯୋଡୋ ଯାତ୍ରା ବୋଲି କହିଛନ୍ତି। ସେ ଟୁଇଟ୍ କରିଛନ୍ତି, ଜର୍ଜ ପୋନ୍ନେୟା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଆଉ ଏହି ବ୍ୟକ୍ତି ଯୀଶୁ ଏକ ମାତ୍ର ଈଶ୍ଵର ବୋଲି କହୁଛନ୍ତି। ଏହି ମଣିଷ ପୂର୍ବେ ବି ହିନ୍ଦୁ ଧର୍ମ ବିରୋଧରେ ଘୃଣିତ ବୟାନ ଦେଇ ଗିରଫ ହୋଇଥିଲା। ଆଉ ଏବେ ରାହୁଲ ଏହି ବ୍ୟକ୍ତିକୁ ଭେଟୁଛନ୍ତି। କଣ ଭାରତ ତୋଡୋ ଆଇକନ ସହ ଭାରତ ଯୋଡେ ଯାତ୍ରା ଚାଲିଛି ବୋଲି ପୁନେଓ୍ଵାଲା ପ୍ରଶ୍ନ କରିଛନ୍ତି।
କଂଗ୍ରେସ ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ବିଜେପିର ହେଟ୍ ଫ୍ୟାକ୍ଟ୍ରିରୁ ଆଉ ଏକ ନୃଶଂସ ଟୁଇଟ୍ ଭାଇରାଲ୍ ହୋଇଛି। ଓଡିଅରେ ଯାହା କିଛି ବି ରେକର୍ଡ ହୋଇଛି ଏଥିରେ ଏହାର କୌଣସି ସଂପର୍କ ନାହିଁ। ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଶୁଭାରମ୍ଭ ପରେ ବିଜେପି ହତାଶ ହୋଇ ପଡିଛି। ଏହି ଯାତ୍ରାରେ ବହୁ ସଂଖ୍ୟାରେ ଲୋକଙ୍କ ଅକୁଣ୍ଠ ସମର୍ଥନ ମିଳୁଛି। ବିଜେପି ଏହାକୁ ହଜମ କରି ପାରୁନଥିବା ଜୟରାମ ରମେଶ କହିଛନ୍ତି।

Get real time updates directly on you device, subscribe now.