ଉତ୍ତରାଖଣ୍ଡ: ସାରା ଦେଶରେ ଏବେ ହାତୀଙ୍କ ଉତ୍ପାତ ବଢିଚାଲିଛି । ଯାହାଫଳରେ ସାଧାରଣ ଲୋକ ଏମାନଙ୍କର ଶିକାର ହେଉଛନ୍ତି । ଏହାରି ଭିତରେ ଗୋଟିଏ ଜଙ୍ଗଲୀ ହାତୀ ହାବୁଡରେ ପଡିଯାଇଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ଭୟରେ ସମସ୍ତେ ଏଣେତେଣେ ଦୌଡୁଥିବା ବେଳେ ହାତୀ ମଧ୍ୟ ଅନେକ ଲୋକଙ୍କର ପିଛା କରିଥିଲା । ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରେ ସୃଷ୍ଟି ହୋଇଯାଇଥିଲା ଭୟାନକ ପରିସ୍ଥିତି । ଏହି ଘଟଣାଟି ୫୩୪ ନମ୍ବର ଜାତୀୟ ରାଜପଥ କୋଟଦ୍ୱାରରୁ ୫ କି.ମି ଦୂରରେ ଘଟିଥିବା ଦେଖାଯାଇଛି ।
ଏହି ସମୟରେ ହାତୀର ଟାର୍ଗେଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ମଧ୍ୟ ରହିଥିଲେ । ହାତୀର ପାଖକୁ ଆସିବା ପରେ ଅନ୍ୟମାନଙ୍କ ପରି ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଏଣେତେଣେ ଧାଇଁଥିଲେ । ଶେଷରେ ଏକ ଚଟାଣ ଉପରକୁ ସେ ଚାଲିଯାଇଥିଲେ । ଫଳରେ ହାତୀ ସେଠାରେ ପହଞ୍ଚି ପାରି ନଥିଲା । ସେପଟେ ଅନ୍ୟ ଲୋକମାନେ ମଧ୍ୟ ହାତୀ ଦାଉରୁ ରକ୍ଷା ପାଇବା ପାଇଁ ପାହାଡ ଉପରେ ଚଢି ଯାଇଥିଲେ । କିନ୍ତୁ ହାତୀ ସେମାନଙ୍କ ପିଛା ଛାଡି ନଥିଲା । କିନ୍ତୁ ସୌଭାଗ୍ୟବଶତଃ ହାତୀ ଆକ୍ରମଣରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ ମଧ୍ୟ ବର୍ତ୍ତିଯାଇଛନ୍ତି ।
ପୂର୍ବ ସିଏମଙ୍କ ପଛେ ପଛେ ହାତୀଟି ଏକ ନାଳରେ ମଧ୍ୟ ପହଞ୍ଚିଯାଇଥିବା ଜଣାଯାଇଛି । ସେଠାରେ ନିଜ ଭୟଙ୍କର ରୂପ ମଧ୍ୟ ଦେଖାଇଥିଲା ଏହି ଜଙ୍ଗଲୀ ହାତୀ । କିନ୍ତୁ ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ସମସ୍ତେ ଖସିଯିବାରେ ସଫଳ ହୋଇଛନ୍ତି । ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ଏପରି ଏକ ଘଟଣା ଘଟିଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ ।