କଟକ: ଓଟିଏମ ପୁନରୁଦ୍ଧାର ପ୍ରସଙ୍ଗରେ ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଫିସିଆଲ ଲିକୁଡେଟରଙ୍କ ନିକଟରେ ରାଜ୍ୟ ସରକାର ୧୧୫ କୋଟି ଦାଖଲ କରିବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଟଙ୍କା ଆସନ୍ତା ମାସକ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ରାଜ୍ୟ ସରକାର ଏବଂ ଇଡକୋ ପକ୍ଷରୁ ପୂର୍ବରୁ ମୋଟ ୩୫ କୋଟି ଦାଖଲ କରାଯାଇଛି । ତେବେ ଆସନ୍ତା ଅକ୍ଟୋବର ୧୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି ।
କ୍ୱାର୍ଟରଗୁଡିକରେ ମଧ୍ୟ ବିଦ୍ୟୁତ ସଂଯୋଗ ପ୍ରସଙ୍ଗକୁ ନେଇ ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଥିଲା । କିନ୍ତୁ ଅଫିସିଆଲ ଲିକ୍ୟୁଡେଟର କର୍ମଚାରୀଙ୍କ କଥା ଶୁଣୁନଥିବା ନେଇ ଆବେଦନକାରୀ ଅଭିଯୋଗ କରିଥିଲେ । କ୍ବାର୍ଟରଗୁଡିକରେ ବିଦ୍ୟୁତ ସଂଯୋଗ ନେଇ କର୍ମଚାରୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଅଫିସିଆଲ ଲିକ୍ୟୁଡେଟରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ଶୁଣାଣିରେ ଶ୍ରମିକମାନଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହାସହିତ ପୂର୍ବ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କମ୍ପାନୀର କେତେଜଣ କର୍ମଚାରୀଙ୍କର କେତେ ଟଙ୍କା ବକେୟା ରହିଛି ସେନେଇ ହିସାବ କିତାବ କରିବାକୁ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ଉଚ୍ଚ ନ୍ୟାୟାଳୟ କହିଥିଲେ ।
ପ୍ରତ୍ୟେକ କ୍ବାର୍ଟରକୁ ଗୋଟିଏ ଲେଖାଏଁ ମିଟର ସଂଯୋଗ କରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । କ୍ବାର୍ଟରର କର୍ମଚାରୀମାନେ ଏନେଇ ଅଫିସିଆଲ ଲିକ୍ୟୁଡେଟରଙ୍କୁ ଜଣାଇବାକୁ କହିଥିଲେ କୋର୍ଟ । ତେବେ ରାଜ୍ୟ ସରକାର ଓଟିଏମକୁ ଅଧିଗ୍ରହଣ କରିବା ନେଇ ପ୍ରସ୍ତାବ ଦେଇଥିଲେ । ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ପ୍ରାୟ ୫୨୧ ଏକର ଜମିରେ ସରକାର ଏକ ନୂତନ ପ୍ଲାଣ୍ଟ ନିର୍ମାଣ କରିପାରନ୍ତି ବୋଲି କୁହାଯାଉଥିଲା । ସୂଚନାଯୋଗ୍ୟ, ଓଟିଏମକୁ ରାଜ୍ୟ ସରକାର ଅଧିଗ୍ରହଣ କରନ୍ତୁ ବୋଲି ଆବେଦନକାରୀ କୋର୍ଟଙ୍କୁ ଆବେଦନ କରିଥିଲେ ।