fbpx

ଦୁଇ ଦିନ ପରେ ବନ୍ଦ ହୋଇଯିବ ଏହି ବ୍ୟାଙ୍କ! RBI ରଦ୍ଦ କଲା ଲାଇସେନ୍ସ, ଗ୍ରାହକ ପଇସା କାଢ଼ିବା ବନ୍ଦ

ନୂଆଦିଲ୍ଲୀ: ଆସନ୍ତା ଦୁଇଦିନ ପରେ ଦେଶର ଏକ ବ୍ୟାଙ୍କ ବନ୍ଦ ହୋଇଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରାଯାଇଛି । ଆସନ୍ତା ୨୨ ତାରିଖଠାରୁ ଏହି ବ୍ୟାଙ୍କର ସମସ୍ତ ବ୍ୟାଙ୍କିଂ ସେବା ବନ୍ଦ ହୋଇଯିବ । ଯଦି ଏହି ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଅଛି, ତେବେ ଯଥାଶୀଘ୍ର ପଇସା କାଢ଼ି ନିଅନ୍ତୁ ।

୨୨ ତାରିଖ ପରେ ଆପଣ ନିଜ ଖାତାରୁ ଆଉ ଅର୍ଥ କାଢ଼ି ପାରିବେ ନାହିଁ । ବ୍ୟାଙ୍କିଂ ସମ୍ବନ୍ଧୀୟ ନିୟମ କାନୁନ ଠିକ୍ ଭାବେ ପାଳନ ନକରିବା କାରଣରୁ ଆରବିଆଇ କଠୋର କାର୍ଯ୍ୟାନୁଷ୍ଠାନ କରିଛି । ଏହି ବ୍ୟାଙ୍କର ନାମ ହେଉଛି ପୁଣେର ରୂପୀ ସହକାରୀ ବ୍ୟାଙ୍କ । ନିର୍ଦ୍ଧାରିତ ତାରିଖ ପରେ ବ୍ୟାଙ୍କର ସମସ୍ତ ନିଜସ୍ୱ କାର୍ଯ୍ୟ ବନ୍ଦ ହୋଇଯିବ । ତେଣୁ ଗ୍ରାହକମାନେ ନିଜ ଆକାଉଣ୍ଟରୁ ଅର୍ଥ କାଢ଼ିବା ପାଇଁ ଆଉ ମାତ୍ର ଦୁଇଦିନ ସମୟ ରହିଛି ।

ଆରବିଆଇ ଅନୁଯାୟୀ, ରୂପୀ ସହକାରୀ ବ୍ୟାଙ୍କ ଲିମିଟେଡର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା । ବ୍ୟାଙ୍କ ପାଖରେ ଅର୍ଥର ଅଭାବ ରହିଥିଲା । ତେଣୁ ଏହି କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ ଏହି ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କରିଦେଇଥିଲା । ବ୍ୟାଙ୍କିଂ ନିୟମ ଉଲ୍ଲଂଘନ କାରଣରୁ ଗତ ୧୦ ତାରିଖରେ ଆରବିଆଇ ଏ ବାବଦରେ ସୂଚନା ଦେଇଥିଲା । ୬ ସପ୍ତାହ ପରେ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରାଯିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଥିଲା ।

ଯେଉଁ ଗ୍ରାହକଙ୍କର ଏହି ବ୍ୟାଙ୍କରେ ୫ ଲକ୍ଷ ପର୍ଯ୍ୟନ୍ତ ଅର୍ଥ ରହିଛି, ସେମାନଙ୍କୁ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି) ତରଫରୁ ସମ୍ପୂର୍ଣ୍ଣ କ୍ଲେମ ମିଳିବ । ଯେଉଁମାନଙ୍କର ୫ ଲକ୍ଷରୁ ଅଧିକ ଜମା ରହିଛି, ସେମାନଙ୍କୁ ଡିଆଇସିଜିସି ତରଫରୁ ପୂରା କ୍ଲେମ ମିଳିବ ନାହିଁ । ଡିଆଇସିଜିସି କେବଳ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଅର୍ଥର ଭରଣା କରିବ । ଅର୍ଥାତ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଅର୍ଥ ଜମା ଥିଲେ ତାହା ବୁଡ଼ିବ ନାହିଁ ।

Get real time updates directly on you device, subscribe now.