fbpx

ତଳକୁ ଖସୁଛି ଗାନ୍ଧି ପରିବାରର ପାୱାର: ପୁଣି ବଳି ପଡ଼ିବେ ପାଇଲଟ, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ ଗେହଲଟ!

ନୂଆଦିଲ୍ଲୀ: ଗୋଟିଏ ପଟେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଚାଲିଥିବା ବେଳେ ଅନ୍ୟ ପଟେ ଦଳ ଭୁଶୁଡ଼ିବାକୁ ବସିଲାଣି । ସମଗ୍ର ଭାରତବର୍ଷରେ ଏକମାତ୍ର କଂଗ୍ରେସ ଶାସିତ ରାଜ୍ୟରେ ସୃଷ୍ଟି ହୋଇଛି ଭୟଙ୍କର ଝଡ଼ । ଗୋଟିଏ ରାତି ମଧ୍ୟରେ ରାଜସ୍ଥାନର ରାଜନୀତିରେ କାୟା ପଲଟିବା ଖବର ସାରା ଭାରତବର୍ଷରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କଠୋର ପଦକ୍ଷେପ ଆଜି ଦଳର ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଛି । ପ୍ରଥମ ଥର ପାଇଁ ଗାନ୍ଧି ପରିବାର ବିରୋଧରେ ଯାଇଛନ୍ତି ଦଳର ଜଣେ ବରିଷ୍ଠ ନେତା ଓ ତାଙ୍କ ସମର୍ଥିତ ବିଧାୟକ ।

କଥା ଏତିକିରେ ସରିନାହିଁ, ସୋନିଆଙ୍କ ଦୁଇ ପର୍ଯ୍ୟବେକ୍ଷ ଅଜୟ ମାକେନ ଓ ମଲ୍ଲିକାର୍ଜୁନ ଖାରଗେଙ୍କ ଉପରେ ମଧ୍ୟ ଗେହଲଟଙ୍କ ସମର୍ଥିତ ବିଧାୟକମାନେ ଓଲଟା ଦୋଷ ଲଦିଛନ୍ତି । ପର୍ଯ୍ୟବେକ୍ଷକମାନେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ରାଜସ୍ଥାନ ଆସିଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେବେ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବାଛିବା ଦାୟିତ୍ୱ କାହାର ଗାନ୍ଧି ପରିବାରର ନା ଗେହଲଟଙ୍କର, ଏହା ହିଁ ହେଉଛି କଳହର ପ୍ରକୃତ ବୀଜ ।

ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଶାୟୀ ପାଇଲଟ ମୁହଁ ଖୋଲିଛନ୍ତି । ଏଭଳି କେତେଥର ଆଉ ଅପମାନ ସହିବେ ବୋଲି ସେ କହିଛନ୍ତି । ଏ ବାବଦରେ ସେ ସୋନିଆ ଗାନ୍ଧିଙ୍କ ସହ କଥା ହେବା ସହ ରାହୁଲ-ପ୍ରିୟଙ୍କା ସହ ଫୋନରେ ୧୪ ଥର କଥା ହୋଇଛନ୍ତି । ପାଇଲଟଙ୍କୁ ଗାନ୍ଧି ପରିବାର ତରଫରୁ ଭରସା ଦିଆଯାଇଥିବା କୁହାଯାଉଛି । ଅପରପକ୍ଷେ ଗେହଲଟ-ସୋନିଆଙ୍କ ମଧ୍ୟରେ ମଧ୍ୟ ଆଲୋଚନା ହୋଇଛି । ପାର୍ଟି ବିରୋଧରେ ସେ କୌଣସି କାର୍ଯ୍ୟ କରିନାହାନ୍ତି ବୋଲି ଗେହଲଟ କହିଛନ୍ତି । ଦିନେ ଦୁଇଦିନ ମଧ୍ୟରେ ଗେହଲଟ ସୋନିଆଙ୍କ ସହ ସାକ୍ଷାତ କରିବାର ସମ୍ଭାବନା ରହିଛି । ଏହି ସାକ୍ଷାତ ପରେ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଭରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.