fbpx

Vodafone-Idea ଗ୍ରାହକଙ୍କୁ ଲାଗିବ ଝଟକା! ୭ ହଜାର କୋଟି ପଇଠ ନକଲେ ବନ୍ଦ ହୋଇପାରେ ସେବା

ନୂଆଦିଲ୍ଲୀ: ଅତ୍ୟନ୍ତ କଠିନ ପରିସ୍ଥିତି ଦେଇ ଗତି କରୁଛି ଟେଲିକମ କମ୍ପାନୀ ଭୋଡ଼ାଫୋନ-ଆଇଡିଆ । କମ୍ପାନୀ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ଉଭା ହୋଇଥିବା ବେଳେ ଏହାର ପରିଣାମ ଭୋଗିପାରନ୍ତି ଗ୍ରାହକମାନେ । ବାକିଥିବା ଅର୍ଥରାଶି ପଇଠ କରିବାକୁ ଇଣ୍ଡସ ଟାୱର୍ସ ବୋର୍ଡ ପକ୍ଷରୁ କମ୍ପାନୀକୁ ନୋଟିସ ଦିଆଯାଇଛି । ତେବେ ଯଦି କମ୍ପାନୀ ଏହି ଅର୍ଥ ଭରଣା ନ କରିବ ତେବେ ଭୋଡ଼ାଫୋନ-ଆଇଡିଆ ସେବା ସବୁଦିନ ପାଇଁ ବନ୍ଦ ହେବାର ସମ୍ଭାବନା ଦେଖାଯାଇଛି ।

ଟେଲିକମ କମ୍ପାନୀ ଭୋଡ଼ାଫୋନ-ଆଇଡିଆ ଉପରେ ୭ ହଜାର କୋଟି ଟଙ୍କା ବାକି ପଡ଼ିଛି । ଏନେଇ ଇଣ୍ଡସ ଟାୱର୍ସ ବୋର୍ଡ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯିବା ସହ କମ୍ପାନୀକୁ ଏହି ଅର୍ଥରାଶି ଭରଣା ପାଇଁ କୁହାଯାଇଛି । ଦୀର୍ଘ ଦିନ ହେଲା କମ୍ପାନୀ ଉପରେ ଏହି ଅର୍ଥରାଶି ବାକି ରହିଛି । ଯେତେଶୀଘ୍ର ସମ୍ଭବ ଏହି ଅର୍ଥ ପଇଠ କରିବା ଦରକାର । ଏଥିସହିତ ଆଗକୁ ନିୟମିତ ଭାବେ ପେମେଣ୍ଟ କରିବାକୁ କମ୍ପାନୀକୁ କୁହାଯାଇଛି ।

ଗତ କିଛି ମାସ ମଧ୍ୟରେ କମ୍ପାନୀ ମାତ୍ର ୪୦-୫୦ ପ୍ରତିଶତ ପେମେଣ୍ଟ ପଇଠ କରିଥିଲା । ମାତ୍ର ଅତି କମରେ ୮୦-୯୦ ପ୍ରତିଶତ ଜମା କରାଯିବା ସହ ଆସନ୍ତା ନଭେମ୍ବର ମଧ୍ୟରେ ୧୦୦ ପ୍ରତିଶତ ଓଭରଡ୍ୟୁ ପଇଠ କରିବାକୁ କମ୍ପାନୀକୁ କୁହାଯାଇଛି । ଯଦି କମ୍ପାନୀ ଏହି କାର୍ଯ୍ୟରେ ଅସଫଳ ରୁହେ, ତେବେ ତା’ର ସେବାକୁ ବନ୍ଦ କରିବାକୁ ବୋର୍ଡ ପକ୍ଷରୁ ଚେତାବନୀ ଦିଆଯାଇଛି ।

ତେବେ ଯଦି ଇଣ୍ଡସସ ଟାୱର୍ସ ପକ୍ଷରୁ ଭୋଡ଼ାଫୋନ-ଆଇଡିଆର ସେବାକୁ ବନ୍ଦ କରି ଦିଆଯାଏ, ତେବେ ଏହାର ଗଭୀର ପ୍ରଭାବ କମ୍ପାନୀର ୨୫.୫ କୋଟି ଗ୍ରାହକଙ୍କ ଉପରେ ପଡ଼ିପାରେ । ବର୍ତ୍ତମାନ ସମୟରେ କମ୍ପାନୀ ଘୋର ଆର୍ଥିକ କ୍ରାଇସିସ୍ ଦେଇ ଗତି କରୁଛି । ଅନ୍ୟପକ୍ଷରେ କମ୍ପାନୀ ଏହି ମାମଲାକୁ ସମାଧାନ କରିବାକୁ ଚେଷ୍ଟା ଚଳାଇଛି । କମ୍ପାନୀର ୧୬,୧୩୦ କୋଟି ଟଙ୍କାର ଏଜିଆର ସମ୍ବନ୍ଧିତ ସୁଧ ବାକି ରାଶିକୁ ସରକାରୀ ଇକ୍ୱିଟିରେ ପରିବର୍ତ୍ତନ କରିବାକୁ ଅର୍ଥ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି ।

Get real time updates directly on you device, subscribe now.