fbpx

ଏଣିକି ଆପଣଙ୍କ ଘରକୁ ଯାଇ ଅଳିଆ ସଂଗ୍ରହ କରିବ ବାଇକ୍: ସ୍ୱଚ୍ଛ ଓ ସୁନ୍ଦର ରାଜଧାନୀ ପାଇଁ BMCର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଅଳିଆକୁ ନେଇ ରାଜଧାନୀ ଭୁବନେଶ୍ୱର ବାସିନ୍ଦାଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବନି । ସହରରେ ଡୋର ଟୁ ଡୋ ଅଳିଆ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଲୋକଙ୍କୁ ଘରୁ ବାଇକ ଯୋଗେ ଅଳିଆ ସଂଗ୍ରହ କରିବ ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବର୍ତ୍ତମାନ ସମୟରେ ସହରର ପ୍ରତ୍ୟେକ ଗଳିକନ୍ଦୁକୁ ଗାଡ଼ି ଯାଇପାରୁ ନଥିବାରୁ ଅଳିଆ ପରିବହନ ନେଇ ସମସ୍ୟା ସୃଷ୍ଟି ହେଉଛି ।

ତେବେ ଓସାରିଆ, ଅଣଓସାରିଆ ସବୁ ପ୍ରକାରର ଗଳିକନ୍ଦିରେ ବାଇକ୍ ସହଜରେ ଯାତାୟାତ କରିବା ସହ ଅଳିଆ ପରିବହନ କରିପାରିବ ବୋଲି ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ବାଇକ୍ ପଛରେ ଜୋମାଟୋ ଫୁଡ ବକ୍ସ ଭଳି ଏକ ବକ୍ସ ଲଗାଯାଇ ସେଥିରେ ଅଳିଆ ସଂଗ୍ରହ କରାଯିବ । ଏହି କାର୍ଯ୍ୟରେ ନିୟୋଜିତ ହେବେ ସଫେଇ କର୍ମଚାରୀ । କର୍ମଚାରୀମାନେ ବାଇକରେ ଅଳିଆ ସଂଗ୍ରହ କରି ମୁଖ୍ୟ ରାସ୍ତାରେ ଥିବା ସଫେଇ ଗାଡ଼ିରେ ତାହାକୁ ଭର୍ତ୍ତି କରିବେ ।

ଭୁବନେଶ୍ୱର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଦିଗରେ ବିଏମସି ନୂଆ ନୂଆ ପଦକ୍ଷେପ ନେଉଛି । ବିଏମସି ପକ୍ଷରୁ ଏବେ ରାତ୍ରିକାଳୀନ ସଫେଇକୁ ଗୁରୁତ୍ୱ ଦିଆଯାଇଛି । ଆଗକୁ ସହରର ବିଭିନ୍ନ ୱାର୍ଡରେ ରାତ୍ରିକାଳୀନ ସଫେଇ କାର୍ଯ୍ୟ ଆରମ୍ଭ କରାଯିବ । ବିଏମସିର ‘ସଫା’ ଆପରେ ‘କ୍ଲିକ ଫର କ୍ଲିନ’ ଥିମରେ ଲୋକମାନେ ସେସପୁଲ ଗାଡ଼ି ବୁକ୍ କରିପାରିବେ । ଯେଉଁମାନେ ବିବାହ, ବ୍ରତ ଭଳି କାର୍ଯ୍ୟକ୍ରମ କରୁଛନ୍ତି, ସେମାନେ ଏହି ଆପ ଦ୍ୱାରା ବିଏମସିର ସଫେଇ ଗାଡ଼ି ବୁକ୍ କରିପାରିବେ ।

Get real time updates directly on you device, subscribe now.