fbpx

କଂଗ୍ରେସର ନୂତନ ଅଧ୍ୟକ୍ଷ ରିମୋଟ୍ କଣ୍ଟ୍ରୋଲରେ ଚାଲିବ ? ଅଭିଯୋଗ ଉପରେ ଏମିତି ଜବାବ ଦେଲେ ରାହୁଲ

ନୂଆଦିଲ୍ଲୀ: କଣ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଗାନ୍ଧୀ ପରିବାରର ରିମୋଟ୍ କଣ୍ଟ୍ରୋଲରେ ଚାଲିବ ? ଏହି ଅଭିଯୋଗ ଉପରେ ଜବାବ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି, ଅଧ୍ୟକ୍ଷ ନିର୍ବାଚନ ଲଢୁଥିବା ଦୁଇ ବ୍ୟକ୍ତି ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର ଉଭୟ ବିଚକ୍ଷଣ ଏବଂ ବୁଦ୍ଧିମାନ ବ୍ୟକ୍ତି। ଦୁହିଁଙ୍କ ବିଷୟରେ ଏମିତି ଆଲୋଚନା କରିବା ସେମାନଙ୍କ ପ୍ରତି ଅପମାନ କରିବା ସହ ସମାନ। ସେ ଲୋକଙ୍କ ସ୍ଵଭାବକୁ ନେଇ ବିଶ୍ଵାସ କରନ୍ତି। ଭାରତ ଯୋଡ ଯାତ୍ରା ମାଧ୍ୟମରେ ସେ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଏବଂ ଦୁଃଖ ଯନ୍ତ୍ରଣା ଜାଣିବାକୁ ଚାହୁଁଛି ବୋଲି ରାହୁଲ କହିଛନ୍ତି।
କଂଗ୍ରେସ ପାର୍ଟିର ନୂତନ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରାଜନୈତିକ ବିଶେଷଜ୍ଞଙ୍କ ମତରେ ପାର୍ଟିର ନୂତନ ଅଧ୍ୟକ୍ଷ ଯିଏ ହେଉନା କାହିଁକି ସେ ଗାନ୍ଧୀ ପରିବାରର ରିମୋଟ୍ କଣ୍ଟ୍ରୋଲରେ ପରିଚାଳିତ ହେବ। ଏହା ଉପରେ ପ୍ରଶ୍ନ ହେବାରୁ ରାହୁଲ କହିଛନ୍ତି, ମୋତେ ଲାଗୁନି ଖଡଗେ ଏବଂ ଥରୁରଙ୍କ ପରି ବରିଷ୍ଠ ଏବଂ ବିଚକ୍ଷଣ ନେତା କାହାରି ରିମୋଟ୍ କଣ୍ଟ୍ରୋଲରେ ଚାଲିବେ। ସତ କହିବାକୁ ଗଲେ ଉଭୟଙ୍କୁ ଅପମାନିତ କରିବା ପାଇଁ ଏମିତି ସବୁ ଟିପ୍ପଣୀ କରାଯାଉଛି ବୋଲି ରାହୁଲ କହିଛନ୍ତି।

ନିକଟରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିଷେଧ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଏବଂ କଂଗ୍ରେସ ମଧ୍ୟରେ ସମ୍ବନ୍ଧକୁ ନେଇ ବିଜେପି ଅନେକ ଅଭିଯୋଗ ଲଗାଇଛି। ଏହାର ଜବାବରେ ରାହୁଲ କହିଛନ୍ତି, ଘୃଣା ଏବଂ ହିଂସାକୁ ପ୍ରୋତ୍ସାହନ ଦେଉଥିବା ଲୋକ ଦେଶବିରୋଧୀ କାର୍ଯ୍ୟ କରୁଛନ୍ତି। ଆମେ ଏସବୁରେ ସାମିଲ୍ ଲୋକଙ୍କ ବିରୋଧରେ ଲଢେଇ କରିବୁ। ଏଥିରେ କୌଣସି ଫରକ ପଡେ ନାହିଁ ଯେ, ହିଂସା ଏବଂ ଘୃଣାକୁ ଉସୁକାଉଥିବା ବ୍ୟକ୍ତି କିଏ ଏବଂ କେଉଁ ସମୁଦାୟର ବୋଲି ରାହୁଲ କହିଛନ୍ତି।

କଂଗ୍ରେସ ପାର୍ଟିର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି, ଏହି ଯାତ୍ରା କେବଳ ପାର୍ଟିର ଅଭିବ୍ୟକ୍ତି ଲାଗି ନୁହେଁ, ଏହା ଭାରତବାସୀଙ୍କ ଅଭିବ୍ୟକ୍ତି ପାଇଁ ଉଦ୍ଦିଷ୍ଟ। ଅଦ୍ୟାବଧି ଭାରତଯୋଡ ଯାତ୍ରାକୁ ୩୦ ଦିନ ପୂରିଛି। ଏହି ସମୟରେ ରାଜନୈତିକ ଦଳ ଏବଂ ନାଗରିକଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବାକୁ ପ୍ରୟାସ କରାଯାଉଛି ବୋଲି ରାହୁଲ କହିଛନ୍ତି।

Get real time updates directly on you device, subscribe now.