ଚର୍ଚ୍ଚାରେ ଧାମନଗର ଉପ ନିର୍ବାଚନ : ସ୍ୱାଧୀନରୁ ଲଢ଼ି ପାରନ୍ତି ରାଜେନ୍ଦ୍ର ଦାସ

ଭୁବନେଶ୍ୱର:ଧାମନଗର ଉପନିର୍ବାଚନ ପାଇଁ ୩ଦଳ ତାଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।ତେବେ ଯୋଦ୍ଧା ଲଢ଼ିବା ପାଇଁ ପ୍ରସ୍ତୁତ । ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ହେବା ପରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ବେଳେ ଗତକାଲି ଶାସକ ଦଳ ଏବଂ କଂଗ୍ରେସ ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତେବେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ବହୁ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଗତକାଲି ବିଜେଡି ତାର ମହିଳା କାର୍ଡ ଖେଳିଛି । ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସକୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସେପଟେ କଂଗ୍ରେସ ବାବଜୀ ସେଠୀଙ୍କୁ ତାର ପ୍ରାର୍ଥୀ ଭାବେ ଘୋଷଣା କରିଛି । ତେବେ ନାମ ଘୋଷଣା ହେବା ପୂର୍ବରୁ ଶାସକ ଦଳ ପାଇଁ ଯେଉଁ ଚିନ୍ତା ଲାଗି ରହିଥିଲା ଯେ କାହାକୁ ଧାମନଗର ଟିକେଟ ଦିଆଯିବ ଯାହା ଆଶା କରାଯାଉଥିଲା ଗତକାଲି ଏହାର ଅନ୍ତ ଘଟିଛି ବୋଲି କିନ୍ତୁ ଏହା ହୋଇ ନାହିଁ । ଟିକେଟ ପାଇଁ ଆଶାୟୀ ହୋଇ ରହିଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ  ଗତକାଲି ଭୁବନେଶ୍ୱର ପାଇଁ ଡକାରା ଆସିଥିଲା ଯାହା ଆଶା କରାଯାଉଥିଲା ତାଙ୍କ ନାମରେ ଟିକେଟ ଫାଇନାଲ ହେବ ବୋଲି କିନ୍ତୁ ତାହା ହେଲା ନାହିଁ । ଟିକେଟ ପାଇଁ ଥିବା ତାଙ୍କର ଆଶା ମଉଳି ଯାଇଛି ।

ବିଜେଡି ସବୁ ବେଳେ ମାଷ୍ଟର କାର୍ଡ ଖେଳିବାରେ ମାହିର । ଯେଉଁ ଠାରେ ସମସ୍ତଙ୍କର ଭାବନାର ଅନ୍ତ ଥାଏ ବିଜେଡି ତାର ରଣନୀତି ସେହି ଠାରୁ ଆରମ୍ଭ କରେ । ତେଣୁ ଧାମନଗର ପାଇଁ ମଧ୍ୟ ବିଜେଡି କିଛି ଏଭଳି କରିବ ବୋଲି ଆଶା କରାଯାଉଥିଲା କିନ୍ତୁ କେହି ଭାବି ନଥଲେ ଯେ ବିଜେଡି ଧାମନଗର ପରୀକ୍ଷା ପାଇଁ ଏଭଳି ଅଙ୍କ କଷିଛି । ସୂଚନାମୁତାବକ ଯେତୋଟି ଉପନିର୍ବାଚନ ହେଲାଣି ବିଜେଡି କେଉଁ ଠାରେ ହାରି ନାହିଁ । ସବୁଠାରେ ବାଜିମାତ କରିବାର ରେକର୍ଡ ରହିଛି । କିନ୍ତୁ ଧାମନଗରର ଅଙ୍କ କିଛି ଅଡୁଆ । ଏଠାକାର ସ୍ଥିତି ପାଣି ପବନ ଏଭଳି ପରିବର୍ତ୍ତନ ହୁଏ ଯାହାକୁ କେହି ଭାବି ମଧ୍ୟ ପାରିବେ ନାହିଁ । ଗତ ନିର୍ବାଚନରେ ଗୋଷ୍ଠୀକନ୍ଦଳ ପାଇଁ ବିଜେଡି ପରାଜୟ ଦେଖିଥିଲା ତେବେ ପୁଣିଥରେ ଏଭଳି କିଛି ସ୍ଥିତି ହେବ ନାହିଁତ?

ବିଜେଡି ଯେଉଁ କାର୍ଡ ଖେଳିଛି ତାହା ବିଜେଡି ଉପରେ ଭାରି ପଡିବ ନାହିଁତ? କାରଣ ଗତକାଲି ଠାରୁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିବା ପରଠାରୁ ବହୁ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳୁଛି । ରାଜେନ୍ଦ୍ର ଦାସଙ୍କ ପ୍ରଶଂସକ ମାନେ ତାଙ୍କୁ ଟିକେଟ ନମିଳିଥିବାରୁ ବହୁତ ଦୁଃଖିତ ଥିବା ବେଳେ ତାହୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହେବାକୁ କହୁଛନ୍ତି । ତେବେ ଏହାକୁ ନେଇ ରାଜେନ୍ଦ୍ର ଦାସ ଫ୍ୟାନ କ୍ଲବରେ ତୁହା କୁ ତୁହା ପୋଷ୍ଟ ସେୟାର ମଧ୍ୟ କରାଯାଉଛି । ତେବେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ୧୪ ତାରିଖ ରହିଥିବା ବେଳେ ଆସନ୍ତା କାଲି ଏହା ସ୍ପଷ୍ଟ ହୋଇ ଯିବ ଯେ ରାଜେନ୍ଦ୍ର ଦାସ ଧାମନଗର ବାସୀଙ୍କ ସ୍ୱାର୍ଥ ପାଇଁ ତ୍ସ୍ୱାଧୀନରୁ ଲଢ଼ିବେ ନା ଦଳର କଥା ଆଉ ଆଦର୍ଶ ପାଇଁ ଚୁପ ରହିବେ ତାହା ଦେଖିବା ବାକି ରହିଲା ।

ବିଜେପିକୁ ଫାଇଦା: ଯଦି ଏହି ଉଡା ଖବର ବାସ୍ତବିକତାର ରୂପ ନିଏ ତେବେ ଏହାର ଫାଇଦା ବିଜେପିକୁ ମିଳିବ । ଯେଉଁ ଗୋଷ୍ଠୀ କନ୍ଦଳ ପାଇଁ ବିଜେଡି ହାରି ଥିଲା ବର୍ତ୍ତମାନ ସ୍ଥିତି କିଛି ସେହି ଭଳି କହୁଛି । ତେବେ ବାପାଙ୍କ ଅଦା ସ୍ୱପ୍ନକୁ ପୂରା କରିବା ପାଇଁ ସୂର୍ଯ୍ୟ ବଂଶୀ ସୁରଜ ତାଙ୍କର ସବୁ ପ୍ରଚେଷ୍ଟା ଉଦ୍ୟମ ଲଗାଇବେ । ତେବେ କିଏ ଏହି ବାଜି ମାତ କରିବ ତାହା ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର ।

ଉଲ୍ଲେଖନୀୟ ଯେ ସେପ୍ଟେମ୍ବର ୧୯ରେ ବିରୋଧୀଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କର ଅକାଳ ବିୟୋଗ ଯୋଗୁଁ ଏହି ସରଂକ୍ଷିତ ଆସନ ଖାଲିରହିଛି । ଏଥିପାଇଁ ନଭେମ୍ବର ୩ରେ ହେଉଛି ଉପନିର୍ବାଚନ। ଅକ୍ଟୋବର ୧୪ ସୁଦ୍ଧା ନାମାଙ୍କନପତ୍ର ଦାଖଲ ଓ ୧୭ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ସେହିପରି ନଭେମ୍ବର ୬ରେ ଗଣତି ହେବ । ୮ ତାରିଖ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବ । ପ୍ରାୟ ୨.୩୮ ଲକ୍ଷ ଭୋଟର ନିଜର ମତ ସାବ୍ୟସ୍ତ କରିବେ ।