fbpx

Hijab Controversy: ଦୁଇ ବିଚାରପତି ଦେଲେ ଭିନ୍ନ ଭିନ୍ନ ରାୟ, ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଗଲା ମାମଲା

Advertisement

ନୂଆଦିଲ୍ଲୀ: କର୍ଣ୍ଣାଟକ ହିଜାବ ବିବାଦର ଶୁଣାଣି ତାରିଖ ଆଜି ଥିଲା । ତେବେ ଏହି ମାମଲାରେ ସୁପ୍ରିମକୋର୍ଟର ଦୁଇ ବିଚାରପତିଙ୍କ ମତ ଅଲଗା ଅଲଗା ରହିଛି । ତେଣୁ ଏହି ମାମଲାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ ଲଲିତଙ୍କ ନିକଟକୁ ପଠାଇ ଦିଆଯାଇଛି । ସିଜେଆଇଙ୍କ ବଡ଼ ବେଞ୍ଚ ଏହି ମାମଲାର ଶୁଣାଣି କରିବାକୁ ଅନୁରୋଧ କରାଯାଇଛି ।

ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ସୁଧାଂଶୁ ଧୂଲିଆଙ୍କୁ ନେଇ ଗଠିତ ବେଞ୍ଚ ଆଜି ସୁପ୍ରିମକୋର୍ଟରେ ହିଜାବ ମାମଲାର ଶୁଣାଣି ଆରମ୍ଭ କରିଥିଲେ । ତେବେ ଜଷ୍ଟିସ ଗୁପ୍ତା କର୍ଣ୍ଣାଟକ ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ଦାୟର ହୋଇଥିବା ୟାଚିକାକୁ ଖାରଜ କରିଦେଇଥିଲେ । ଅନ୍ୟପକ୍ଷରେ ଜଷ୍ଟିସ ଧୂଲିଆଙ୍କ ରାୟ ଅଲଗା ରହିଥିଲା । ସେ କର୍ଣ୍ଣାଟକ ହାଇକୋର୍ଟର ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ ।

ଗତ ମାର୍ଚ୍ଚ ମାସ ୨୪ ତାରିଖରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ୟାଚିକାକର୍ତ୍ତା । ଏହି ବିବାଦକୁ ନେଇ କୋର୍ଟରେ ଜଷ୍ଟିସ ଗୁପ୍ତା ଓ ଧୂଲିଆଙ୍କ ବେଞ୍ଚ ମଧ୍ୟେରେ ୧୦ ଦିନ ପର୍ଯ୍ୟନ୍ତ ଜୋରଦାର ଯୁକ୍ତିତର୍କ ଚାଲିଥିଲା । ଏହାପରେ ଖଣ୍ଡପୀଠ ଏହି ମାମଲାର ନିଷ୍ପତ୍ତିକୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ସୁରକ୍ଷିତ ରଖିଥିଲେ ।

ଶ୍ରେଣୀ ଭିତରେ ହିଜାବ ପିନ୍ଧିବାକୁ ଅନୁମତି ଦେବା ନେଇ ଦାୟର ହୋଇଥିବା ୟାଚିକାକୁ କର୍ଣ୍ଣାଟକ ହାଇକୋର୍ଟ ଗତ ମାର୍ଚ୍ଚ ୧୫ରେ ଖାରଜ କରିଦେଇଥିଲେ । ରାଜ୍ୟର ସରକାରୀ ପ୍ରି-ୟୁନିଭରସିଟି ଗାର୍ଲ୍ସ କଲେଜର ମୁସଲିମ ଛାତ୍ରୀଙ୍କ ଏକ ବର୍ଗ ଶ୍ରେଣୀରେ ହିଜାବ ପିନ୍ଧିବା ନେଇ ଏହି ଆବେଦନ ହୋଇଥିଲା । ତେବେ ହିଜାବ ପିନ୍ଧିବା ଇସଲାମର ଜରୁରୀ ଧାର୍ମିକ ପ୍ରଥାର ଅଂଶ ନୁହେଁ ବୋଲି ହାଇକୋର୍ଟ କହିଥିଲେ ।

Get real time updates directly on you device, subscribe now.