fbpx

NCF 2022: ଜାତୀୟ ପାଠ୍ୟକ୍ରମ ରୂପରେଖ ଲଞ୍ଚ କଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ଭିତ୍ତିଭୂମି ପାଇଁ ଏନସିଏଫ୍ (ଜାତୀୟ ପାଠ୍ୟକ୍ରମ ଢ଼ାଞ୍ଚା) ୨୦୨୨ ଆରମ୍ଭ କରିଛନ୍ତି । ଏହା ସହିତ କେନ୍ଦ୍ରୀୟ ବିଦ୍ୟାଳୟରେ ବାଲବାଟିକା ମଧ୍ୟ ଲଞ୍ଚ କରିଛନ୍ତି । ଏନସିଏଫ୍ ୨୦୨୨ ର ଶୁଭାରମ୍ଭରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ସୁଭାଷ ସରକାର ଏବଂ ଡାକ୍ତର ରାଜକୁମାର ରଂଜନ ସିଂ ମଧ୍ୟ ଉପସ୍ଥିତ ଥିଲେ ।ଜାତୀୟ ଶିକ୍ଷା ନୀତି, ଏନଇପି ୨୦୨୦ ଦ୍ୱାରା ଦିଆଯାଇଥିବା ପରାମର୍ଶ ଉପରେ ଆଧାର କରି ଜାତୀୟ ପାଠ୍ୟକ୍ରମ ଢ଼ାଞ୍ଚା ୨୦୨୨ ପ୍ରସ୍ତୁତ କରାଯାଇଛି ।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ନୂତନ ଶିକ୍ଷା ନୀତି -୨୦୨୦ କୁ ଲାଗୁ କରିବା ପାଇଁ ଜାତୀୟ ପାଠ୍ୟକ୍ରମ ଢ଼ାଞ୍ଚା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) କୁ ନିବେଦନ କରୁଛି କି ପରବର୍ତ୍ତୀ ବସନ୍ତ ପଞ୍ଚମି ପର୍ଯ୍ୟନ୍ତ ସିଲାବସ୍ ଏବଂ ପାଠ୍ୟ ପୁସ୍ତକ ସମାପ୍ତ କର ।

ରାଷ୍ଟ୍ରୀୟ ପାଠ୍ୟକ୍ରମ ରୂପରେଖ ବା ଏନସିଏଫ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି (ଏନଇପି)ର ଉଦ୍ଦେଶ୍ୟକୁ ପୂରଣ କରିବା ଦିଗରେ ଆଜି ଏକ ଐତିହାସିକ ଦିନ । ପ୍ରାରମ୍ଭିକ ସ୍ତର ପାଇଁ ରାଷ୍ଟ୍ରୀୟ ପାଠ୍ୟକ୍ରମ ରୂପରେଖ ଶିଶୁଙ୍କୁ ପ୍ରଥମ ୫ ବର୍ଷ ତଥା ବାଲବାଟିକାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରିବ । ଆଜିର ପଦକ୍ଷେପ ଏକବିଂଶ ଶତାବ୍ଦୀର ଭାରତ ନିର୍ମାଣ ପାଇଁ ବଡ଼ ପଦକ୍ଷେପ । ଆଜି ଶୁଭାରମ୍ଭ ହୋଇଥିବା ଉପକ୍ରମ ଗୁଡ଼ିକ ଦେଶର ଯୁବବର୍ଗଙ୍କୁ ଏକବିଂଶ ଶତାବ୍ଦୀର ଜ୍ଞାନଗତ ଏବଂ ଭାଷା ଦକ୍ଷତା ଗଠନ କରିବାରେ ସାହାଯ୍ୟ କରିବ।

ସେ କହିଛନ୍ତି ପ୍ରଥମ ୫ ବର୍ଷ ମଧ୍ୟରେ ଶିଶୁ ମାନଙ୍କ ସାମଗ୍ରିକ ବିକାଶ ହେବା ନେଇ ଗବେଷକମାନେ ମତପୋଷଣ କରିଛନ୍ତି । ସ୍କୁଲ ଶିକ୍ଷା ପାଇଁ ଏନସିଏଫର ୪ଟି ସୋପାନ ରହିଛି ଯଥା ପ୍ରାରମ୍ଭିକ(ଫାଉଣ୍ଡେସନାଲ), ପ୍ରସ୍ତୁତିମୂଳକ (ପ୍ରିପାଟୋରୀ), ମଧ୍ୟମ(ମିଡିଲ) ଏବଂ ମାଧ୍ୟମିକ (ସେକେଣ୍ଡାରୀ) । ଏ ଦୃଷ୍ଟିରୁ ଜାତୀୟ ଶିକ୍ଷା ନୀତିରେ ଶିଶୁଙ୍କ ସାମଗ୍ରିକ ବିକାଶ ଦିଗରେ ଏନସିଏଫର ଗୁରୁତ୍ୱପୂର୍ଣ୍ଣ ସୁପାରିଶ । ପ୍ରାରମ୍ଭିକ ସୋପାନରେ ଖେଳ ଆଧାରିତ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି । ଅଭିନବ ପ୍ରଯୁକ୍ତିବିଦ୍ୟା, ଗେମ୍ ଆଧାରିତ ଶିକ୍ଷା, ଶିକ୍ଷା ଦାନର ନୂଆଶୈଳିର ମଡେଲ ଆଗକୁ ଆସିଛି । ଆମକୁ ଗେମ୍ ଆଧାରିତ ଅଭିନବ ବିଷୟବସ୍ତୁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେବାକୁ ହେବ । ଆସନ୍ତା ସରସ୍ୱତୀ ପୂଜା ସୁଦ୍ଧା ଏଥିପାଇଁ ପାଠ୍ୟକ୍ରମ ଏବଂ ପୁସ୍ତକ ପ୍ରସ୍ତୁତ କରାଯିବା ନେଇ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଦେଶର ଭବିଷ୍ୟତକୁ ରୂପ ଦେବାରେ ଗୁରୁତ୍ୱ ରଖୁଥିବା ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ପ୍ରାରମ୍ଭିକ ଢାଞ୍ଚାକୁ ବିକଶିତ କରିବା ସବୁଠୁ ଆହ୍ୱାନପୂର୍ଣ୍ଣ ଥିଲା । ଏନସିଏଫକୁ ଆଞ୍ଚଳିକ ଭାଷାରେ ଅନୁବାଦ କରିବା ପାଇଁ ଏନସିଆଇଆରଟି ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ମାନବତାର ଦାୟିତ୍ୱ ନେବା ପାଇଁ ବୈଶ୍ୱିକ ନାଗରିକଙ୍କୁ ପ୍ରସ୍ତୁତ କରିବା ଦିଗରେ ଏହା ଏକ ପଥ ପ୍ରଦର୍ଶକ ହେବ ବୋଲି ସେ କହିଛନ୍ତି ।

ସେହିପରି ୩ ରୁ ୫ ବର୍ଷ ବୟସ୍କ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାମୂଳକ ଭାବରେ ୫୦ଟି କେନ୍ଦ୍ରୀୟ ବିଦ୍ୟାଳୟରେ ବାଲବାଟିକା ଆରମ୍ଭ କରାଯାଇଛି । ଆଗାମୀ ଶିକ୍ଷା ବର୍ଷରେ ବାଲବାଟିକା ଦେଶର ସମସ୍ତ ସିବିଏସଇ ସ୍କୁଲରେ କାର୍ଯ୍ୟକାରୀ କରାଯିବ । ଏହାସହ ରାଜ୍ୟରେ ଥିବା ସ୍କୁଲ ଗୁଡ଼ିକରେ ବାଲବାଟିକୁ କାର୍ଯ୍ୟକାରୀ କରିବା ପାଇଁ ବିଚାରବିମର୍ଷ କରାଯିବ । ଆସନ୍ତା କିଛି ବର୍ଷ ମଧ୍ୟରେ ଶତପ୍ରତିଶତ ୩ ବର୍ଷ ବୟସ ଶିଶୁଙ୍କୁ ସ୍କୁଲ ଶିକ୍ଷାରେ ଆଣିବାକୁ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.