fbpx

ଆଜିଠୁ ଜୟପୁରକୁ ବିମାନ ସେବା: ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର) : ଦକ୍ଷିଣ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ୩୧ ତାରିଖ ଅର୍ଥାତ୍ ସୋମବାର ଠାରୁ ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ଆରମ୍ଭ ହେବ ବିମାନ ସେବା । ଏହି ବିମାନ ପ୍ରତିଦିନ ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ବିଶାଖାପାଟଣାକୁ ଚଳାଚଳ କରିବ । ଇଣ୍ଡିଆ ୱାନ ଏୟାର ଦ୍ୱାରା ଚଳାଚଳ କରିବାକୁ ଥିବା ଏହି ବିମାନ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିମାନରେ ୯ଟି ସିଟ୍ ରହିବ ।

ଯଦିଓ ଭୁବନେଶ୍ୱରରୁ ଜୟପୁରକୁ ବିମାନ ଭଡ଼ା ୨୫ଶହ ଟଙ୍କା ରଖାଯାଇଛି ତେବେ ପ୍ରାରମ୍ଭିକ ଭାବେ ଏହି ଟିକେଟ୍ର ମୂଲ୍ୟ ୯୯୯ ଟଙ୍କା ରହିଛି । ପ୍ରତିଦିନ ବିମାନଟି ପୂର୍ବାହ୍ଣ ୧୧ଟା ୩୫ ରେ ଭୁବନେଶ୍ୱର ବିମାନବନ୍ଦରରୁ ଜୟପୁର ଅଭିମୁଖେ ଉଡ଼ାଣ କରିବ । ଅପରାହ୍ଣ ୧ଟା ୨୦ରେ ଏହା ଜୟପୁରରେ ପହଞ୍ଚିବ । ଜୟପୁରରୁ ଏହା ୧ଟା ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବ । ଅପରାହ୍ଣ ୨ଟା ୩୦ରେ ଏହା ବିଶାଖାପାଟଣାରେ ପହଞ୍ଚିବ । ପୁଣି ଅପରାହ୍ଣ ୩ଟାରେ ବିମାନଟି ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁରରେ ପହଞ୍ଚିବ । ସେଠାରୁ ୪ଟା ୦୫ ମିନିଟରେ ଉଡ଼ାଣ ଆରମ୍ଭ କରି ଭୁବନେଶ୍ୱରେ ସନ୍ଧ୍ୟା ୫ଟା ୫୦ରେ ପହଞ୍ଚିବ ।

ଆଗାମୀ ଦିନରେ ଉଡ଼ାଣ ଯୋଜନାରେ କଳାହାଣ୍ଡିର ଉତ୍କେଲା ବିମାନ ବନ୍ଦରକୁ ବିମାନ ଚଳାଚଳ ପାଇଁ ରୁଟ୍ ମିଳିଛି । କେବଳ ଡିଜିସିଏର ଅନୁମୋଦନକୁ ଅପେକ୍ଷା କରାଯାଇଛି । ଅନୁମୋଦନ ମିଳିବା ପରେ ଭୁବନେଶ୍ୱରରୁ ଉତ୍କେଲା ଓ ଉତ୍କେଲାରୁ ରାୟପୁର ପର୍ଯ୍ୟନ୍ତ ବିମାନ ସେବା ଯୋଗାଇ ଦିଆଯିବ । ସେହିପରି ହକି ବିଶ୍ୱକପ୍ ପୂର୍ବରୁ ରାଉରକେଲାକୁ ମଧ୍ୟ ବିମାନ ଉଡ଼ାଣ କରିବ । ଭୁବନେଶ୍ୱରରୁ ରାଉରକେଲା ଓ ରାଉରକେଲାରୁ କୋଲକତା ବିମାନ ଚଳାଚଳ କରିବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଉଡ଼ାଣ ଯୋଜନାରେ ଜୟପୁରକୁ ବିମାନ ଚଳାଚଳ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ ।

Get real time updates directly on you device, subscribe now.