fbpx

ଧାମନଗର ଉପନିର୍ବାଚନ: ମୃତ ପୋଲିଂ ଅଧିକାରୀଙ୍କୁ ମିଳିବ ୧୫ ଲକ୍ଷ, ସହାୟତା ଘୋଷଣା କଲେ CEO

ଧାମନଗର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ମତଦାନ ଆଜି ସକାଳୁ ଆରମ୍ଭ ହୋଇଥିବା ବେଳେ ଭୋଟିଂ ପୂର୍ବରୁ ଜଣେ ପୋଲିଂ ଅଧିକାରୀଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ, ମୃତ ପୋଲିଂ ଅଧିକାରୀଙ୍କୁ ମିଳିବ ସହାୟତା ରାଶି । ତାଙ୍କର ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ । ଉପନିର୍ବାଚନ ଦାୟିତ୍ୱରେ ଥିଲେ ପୋଲିଂ ଅଧିକାରୀ ନଟବର ମୁଣ୍ଡା । ଅସୁସ୍ଥ ହେବାରୁ ଏସସିବିରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଆଜି ସକାଳେ ନଟବର ମୁଣ୍ଡାଙ୍କର ମୃତ୍ୟୁ ହୋଇଛି । ସହାୟତା ରାଶି ନେଇ ସିଇଓ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଉପନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ ହୋଇଛି । ଧାମନଗର ଉପନିର୍ବାଚନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୩୯ ନମ୍ବର ବୁଥର ପୋଲିଂ ଅଫିସର ହେଉଛନ୍ତି ନଟବର । ଏନେଇ ଭଦ୍ରକ ଜିଲ୍ଲାପାଳ ସିଦେ୍ଧଶ୍ୱର ବନ୍ଦାଳ ସୂଚନା ଦେଇଥିଲେ । ତାଙ୍କର କହିବା ମୁତାବକ, ‘ଗତକାଲି ନଟବରଙ୍କ ଦେହ ଅସୁସ୍ଥ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏସସିବି ପଠାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପୁଲିଂ ଅଫିସରଙ୍କର ମୃତ୍ୟୁ ହୋଇଥିଲା ।’

ଅନ୍ୟପଟେ ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଏବେ ୨୫୨ଟି କେନ୍ଦ୍ରରେ ମତଦାନ ଚାଲିଛି । ତେବେ ଧାମନଗର ଉପନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ମତଦାନ ସନ୍ଧ୍ୟା ୭ଟା ଯାଏଁ ଚାଲିବ । ମୋଟ୍ ୨ ଲକ୍ଷ ୩୮ ହଜାର ୪୧୭ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୩ ହଜାର ୩୮ ଜଣ ପୁରୁଷ ଭୋଟର ରହିଥିବାବେଳେ ୧ ଲକ୍ଷ ୧୫ ହଜାର ୩୪୬ ଜଣ ମହିଳା ଭୋଟର ରହିଛନ୍ତି । ମୋଟ୍ ୨୫୨ଟି ବୁଥରେ ମତଦାନ ଚାଲିଛି । ୧୧୦ଟି ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୫ଟି ମଡେଲ୍ ବୁଥ୍ ଓ ୫ଟି ପିଙ୍କ୍ ବୁଥ୍ ରହିଛି ।

Get real time updates directly on you device, subscribe now.