ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରରେ ନିଜର ସ୍ୱପ୍ନର ଘର ଘଣ୍ଡିଏ ପାଇବା ଅଧିକାଂଶ ଲୋକଙ୍କର ସ୍ୱପ୍ନ ଥାଏ । ତେବେ ଏନେଇ ଏକ ଭଲ ଖବର ସାମ୍ନାକୁ ଆସିଛି । ରାଜ୍ୟର ୫ଟି ମହାନଗର ନିଗମର ବାସିନ୍ଦାଙ୍କୁ ମିଳିବ ସ୍ଥାୟୀ ପଟ୍ଟା । ଜାଗା ମିଶନ ଜରିଆରେ ମହାନଗର ନିଗମ ଅଞ୍ଚଳର ଭୂମିହୀନଙ୍କୁ ଜମି ପଟ୍ଟା ମିଳିବା ସହିତ ରାସ୍ତା, ଷ୍ଟିଟ ଲାଇଟ ପରି ୯ଟି ମୌଳିକ ସୁବିଧା ମିଳିବ । ରାଜ୍ୟର ୫ଟି ମହାନଗର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାର ଭୂମିହୀନଙ୍କୁ ଏହି ସୁବିଧା ଦିଆଯିବ ।
ଭୂମିହୀନଙ୍କୁ ୩୦ରୁ ୪୫ ବର୍ଗମିଟର ଜମି ମାଗଣାରେ ଯୋଗାଇ ଦିଆଯିବ । ଭୁବନେଶ୍ୱରର ୪୩୬ଟି ଓ କଟକର ୨୭୨ଟି ବସ୍ତି ବାସିନ୍ଦାଙ୍କୁ ଏହି ଫାଇଦା ମିଳିବ । ଏନେଇ ଆସନ୍ତା ୧୦ ତାରିଖରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଡ୍ରୋନ ଯୋଗେ ଜମି ଚିହ୍ନଟ ପାଇଁ ସର୍ଭେ କାର୍ଯ୍ୟର ଶୁଭାରମ୍ଭ କରିବେ । ଆସନ୍ତା ବର୍ଷ ସୁଦ୍ଧା ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରାଯିବ । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।
ରାଜ୍ୟର ସହରକୁ ବସ୍ତିମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି । ପୂର୍ବରୁ ବିଭିନ୍ନ ସମସ୍ୟା କାରଣରୁ ଜାଗା ମିଶନ ଯୋଜନା କାର୍ଯ୍ୟକାରୀ ହୋଇ ପାରିନଥିଲା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ମହାନଗର ନିଗମକୁ ଏଥିରେ ସାମିଲ କରାଯାଇଛି । ଏଣିକି ମହାନଗରର ବସ୍ତିବାସିନ୍ଦା ମାଗଣାରେ ଜମି ପାଇବା ପଥ ପରିଷ୍କାର ହୋଇଯାଇଛି ।