ନୂଆଦିଲ୍ଲୀ: ଦିନରେ ଖାଇସାରିବା ପରେ ଶୋଇବା କିଛି ଲୋକଙ୍କର ଅଭ୍ୟାସ ରହିଥାଏ । ତେବେ ଏନେଇ ଏକ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । ଦିନବେଳା ଶୋଇବା ଓ ଘୁଙ୍ଗୁଡ଼ି ମାରିବା ଆପଣଙ୍କୁ ଅନ୍ଧ କରିଦେଇପାରେ । ଏଭଳି ଲୋକଙ୍କ ଠାରେ ଗ୍ଲୁକୋମାର ଆଶଙ୍କା ୧୧ ପ୍ରତିଶତ ଅଧିକ ରହିଥାଏ । ସେହିଭଳି ଅନିଦ୍ରା ଓ ଛୋଟ ନିଦ୍ରା ଯାଉଥିବା ଲୋକଙ୍କ କ୍ଷେତ୍ରରେ ଏହା ୧୧ ପ୍ରତିଶତ ଅଧିକ ରହୁଥିବା ଜଣାପଡ଼ିଛି ।
ରିସର୍ଚ୍ଚ ମୁତାବକ, ଆସନ୍ତା ୨୦୪୦ ସୁଦ୍ଧା ସାରା ଦୁନିଆରେ ୧୧.୨ କୋଟି ଲୋକ ଗ୍ଲୁକୋମାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଗ୍ଲୁକୋମା ହେଉଛି ଏପରି ଏକ ଅବସ୍ଥା ଯାହାଦ୍ୱାରା ମଣିଷର ଆଇବଲରେ ପ୍ରେସର ପଡ଼ିଥାଏ । ଏହା ଧୀରେଧୀରେ ଦୃଷ୍ଟିଶକ୍ତି ହ୍ରାସର କାରଣ ସାଜିଥାଏ । ଏକ୍ସପର୍ଟଙ୍କ ମତରେ, ସୁନିଦ୍ରା ନ ନେଲେ ଆମର ଶିଖିବାର କ୍ଷମତା, ନିଷ୍ପତ୍ତି ନେବାର କ୍ଷମତା, ସ୍ୱଭାବ, ବ୍ୟବହାର ଓ ସ୍ମରଣଶକ୍ତି ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ ।
ଆମର ଆଖିରୁ ବ୍ରେନକୁ ସଂଯୋଗ ହୋଇଥିବା ଆପ୍ଟିକ ତନ୍ତ୍ରିକାକୁ ଗ୍ଲୁକୋମା ପ୍ରଭାବିତ କରିଥାଏ । ଏହାଦ୍ୱାରା ଆଖିର ସମ୍ବେଦନଶୀଳ କୋଷିକାଗୁଡ଼ିକ କ୍ଷରଣ ହୋଇଥାଏ । ଠିକ୍ ସମୟରେ ଏହାର ଚିକିତ୍ସା ନକଲେ ଆଖିର ଦୃଷ୍ଣିଶକ୍ତି ସବୁଦିନ ପାଇଁ ଚାଲିଯାଇଥାଏ । ଡାକ୍ତରମାନେ ୬-୮ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଥାନ୍ତି । ରାତିରେ ପର୍ଯ୍ୟାପ୍ତ ନିଦ୍ରା ନନେଲେ ଦିନବେଳେ ନିଦ ଲାଗେ । ଦିନରେ ଶୋଇବା ଓ ଘୁଙ୍ଗୁଡ଼ି ମାରିବା ଦ୍ୱାରା ଏହାର ପ୍ରଭାବ ଆଖି ଉପରେ ପଡ଼ିଥାଏ । ପରିସ୍ଥିତି ଯଦି ଗମ୍ଭୀର ହୁଏ ତେବେ ଏହା ଅନ୍ଧପଣକୁ ବୃଦ୍ଧି କରିଥାଏ । ବୟସ୍କ ଓ ଧୂମ୍ରପାନ କରୁଥିବା ଲୋକଙ୍କ କ୍ଷେତ୍ରରେ ଏହା ଏକ ସାଧାରଣ ସମସ୍ୟା । ରାତିରେ ପୂରା ନିଦ୍ରା ନନେଲେ ଯେ କୌଣସି ବୟସର ଲୋକଙ୍କୁ ଗ୍ଲୁକୋମା ହୋଇପାରେ ।