fbpx

EWS କୋଟା ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ , ଜାରି ରହିବ ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ

ନୂଆଦିଲ୍ଲୀ: ଆର୍ଥିକ ଭାବେ ଦୁର୍ବଳ ବର୍ଗର ଲୋକଙ୍କୁ ମିଳୁଥିବା ଇଡବ୍ଲ୍ୟୁଏସ କୋଟା ଉପରେ ଉଚ୍ଚତମ ନ୍ୟାୟାଳୟ ଶୁଣାଇଛନ୍ତି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ଅଦାଲତ ଏହି ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ୧୦ ପ୍ରତିଶତ ସଂରକ୍ଷଣକୁ ବୈଧ୍ୟ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ଵାଧୀନ ପାଞ୍ଚ ଜଣିଆ ଖଣ୍ଡପୀଠ ଇଡବ୍ଲ୍ୟୁଏସ ସଂରକ୍ଷଣକୁ ଉଚିତ୍ ଦର୍ଶାଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ଏହି କୋଟା ସମ୍ବିଧାନର ମୂଳ ସିଦ୍ଧାନ୍ତ ଏବଂ ଭାବନାକୁ ଉଲ୍ଲଂଘନ କରୁ ନାହିଁ। ପ୍ରଧାନ ବିଚାରପତି ଏବଂ ବିଚାରପତି ଦିନେଶ ମାହେଶ୍ଵରୀଙ୍କ ବ୍ୟତୀତ ବିଚାରପତି ବେଲା ଏମ ତ୍ରିବେଦୀ ଇଡବ୍ଲ୍ୟୁଏସ କୋଟା ପକ୍ଷରେ ନିଜର ରାୟ ମଧ୍ୟ ଦେଇଛନ୍ତି। ବିଚାରପତି ଜେପି ପାରଦିଓ୍ଵାଲା ମଧ୍ୟ ଗରିବଙ୍କୁ ମିଳୁଥିବା ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି।

ବିଚାରପତି ବେଲା ଏମ ତ୍ରିବେଦୀ କହିଛନ୍ତି, ମୋର ନିଷ୍ପତ୍ତି ବିଚାରପତି ମାହେଶ୍ଵରୀଙ୍କ ରାୟ ସହ ସହମତ। ଇଡବ୍ଲ୍ୟୁଏସ କୋଟା ବୈଧ୍ୟ ଏବଂ ସାମ୍ବିଧାନିକ ଅଟେ। କିନ୍ତୁ ବିଚାରପତି ଏସ ରବୀନ୍ଦ୍ର ଇଡବ୍ଲ୍ୟୁଏସ କୋଟାକୁ ବେଆଇନ ଦର୍ଶାଇଛନ୍ତି। ଏହି ପରି ଗରିବ ବର୍ଗଙ୍କୁ ମିଳୁଥିବା ୧୦ ପ୍ରତିଶତ ଇଡବ୍ଲ୍ୟୁଏସ ସଂରକ୍ଷଣ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ୪-୧ରେ ମୋହର ମାରିଛନ୍ତି। ପାଞ୍ଚ ଜଣିଆ ସାମ୍ବିଧାନିକ ପୀଠରେ ଏକାକୀ ବିଚାରପତି ଏସ ରବୀନ୍ଦ୍ର ଭଟ୍ଟ ଏହି ସଂରକ୍ଷଣକୁ ଭୁଲ୍ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି ଏହା ଆଇନଗତ ଭେଦଭାବ ଏବଂ ସମ୍ବିଧାନର ମୂଳଭାବନା ବିରୋଧୀ।

ଉଲ୍ଲେଖନୀୟ ସମ୍ବିଧାନରେ ୧୦୩ତମ ସଂଶୋଧନ ଜରିଆରେ ୨୦୧୯ରେ ସଂସଦରୁ ଇଡବ୍ଲ୍ୟୁଏସ ସଂରକ୍ଷଣକୁ ନେଇ ଆଇନ ପାରିତ ହୋଇଥିଲା। ସଂସଦର ଏହି ନିଷ୍ପତ୍ତିକୁ ଅନେକ ଆବେଦନ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହା ଉପରେ ଲମ୍ବା ଶୁଣାଣି ପରେ ଉଚ୍ଚତମ ନ୍ୟାୟାଳୟ ଆଜି ଏହି ରାୟ ଦେଇଛନ୍ତି।
ଇଡବ୍ଲ୍ୟୁଏସ କୋଟାର ବୈଧତାକୁ ନେଇ ନିଷ୍ପତ୍ତି ଶୁଣାଇବା ସମୟରେ ବିଚାରପତି ଜେବି ପାରଦିଓ୍ଵାଲା ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି, ଏହା ମଧ୍ୟ ବିଚାର କରାଯିବାର ଆବଶ୍ୟକତା ରହିଛି ଯେ, ସଂରକ୍ଷଣ କେତେ ଦିନ ପର୍ଯ୍ୟନ୍ତ ଜରୁରୀ ? ଅସମାନତାକୁ ଦୂର କରିବା ପାଇଁ ସଂରକ୍ଷଣ କୌଣସି ଅନ୍ତିମ ସମାଧାନ ନୁହେଁ। ଏହା କେବଳ ମାତ୍ର ଏକ ଆରମ୍ଭ। ଅନ୍ୟପକ୍ଷେ ବିଶେଷଜ୍ଞଙ୍କ କହିବା କଥା ଆର୍ଥିକ ଆଧାରରେ ସଂରକ୍ଷଣର ବୈଧତାକୁ ସୁପ୍ରିମକୋର୍ଟରୁ ମଞ୍ଜୁରୀ ମିଳିବା ପରେ ଅନେକ ରାଜ୍ୟ କିଛି ଜାତିକୁ ସଂରକ୍ଷଣ ଦେବା ଉପରେ ବିଚାର କରି ପାରନ୍ତି।

Get real time updates directly on you device, subscribe now.