fbpx

ସମୁଦ୍ରରେ ଲୀନ ହୋଇଯିବ ଲଣ୍ଡନଠୁ ଦୁଇ ଗୁଣ ଆକାରର ବଡ ଗ୍ଲାସିୟର ! ଫଟୋ ଜାରି କଲା ନାସା

ନୂଆଦିଲ୍ଲୀ: ସମୁଦ୍ରରେ ଲୀନ ହୋଇଯିବ ଲଣ୍ଡନଠୁ ଦୁଇ ଗୁଣ ଆକାରର ବଡ ଗ୍ଲାସିୟର। ମିଶରରେ ଚାଲିଥିବା ମିଳିତ ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀ ମଧ୍ୟରେ ଆମେରିକା ମହାକାଶ ଗବେଷଣକାରୀ ସଂସ୍ଥା ନାସା ଏହାର ସୂଚନା ଦେଇଛି। ନାସା ଦୁନିଆର ସବୁଠୁ ବଡ ଗ୍ଲାସିୟର ଆଣ୍ଟର୍କଟିକ ହିମସେଲ ଏ-୭୬ଏକୁ ନେଇ ନିଜର ଚିନ୍ତା ପ୍ରକାଶ କରିଛି। ନାସା ଦ୍ଵାରା ଜାରି ଏକ ଉପଗ୍ରହ ଛବିରେ ଆଣ୍ଟର୍କଟିକ ବିଶାଳ ବରଫ ଖଣ୍ଡର ସବୁଠୁ ବଡ ଅଂଶ ତରଳି ତରଳି ଶୀଘ୍ର ସମୁଦ୍ରରେ ଲୀନ ହୋଇଯିବାର ସୂଚନା ମିଳିଛି।

ୟୁଏସ ନ୍ୟାସନାଲ ଆଇସ ସେଣ୍ଟର ଅନୁଯାୟୀ, ହିମଖଣ୍ଡର ଆୟତନ ୧୩୫ କିଲୋମିଟର ଲମ୍ବା ଏବଂ ୨୬ କିଲୋମିଟର ଚଉଡା ରହିଛି। ଏହା ଲଣ୍ଡନ ଆକାରର ପାଖାପାଖି ଦୁଇ ଗୁଣ ବରାବର ରହିବ। ଏହି ହିମଖଣ୍ଡ ରୋଡ୍ ଆଇଲାଣ୍ଡର ଆକାରର ଏ-୭୬ର ସବୁଠୁ ବଡ ଅଂଶ, ଯାହା ଦୁନିଆର ସବୁଠୁ ବଡ ହିମଖଣ୍ଡ ଥିଲା। ମାତ୍ର ୨୦୨୧ ମେରେ ଆଣ୍ଟର୍କଟିକାର ପଶ୍ଚିମ ଭାଗରେ ଭାଙ୍ଗି ଯିବାରୁ ଏହା ତିନୋଟି ଖଣ୍ଡ ୭୬ଏ, ୭୬ବି ଏବଂ ୭୬ସିରେ ବିଭାଜିତ ହୋଇଥିଲା। ଏହି ଖଣ୍ଡରୁ ସବୁଠୁ ବଡ ହେଉଛି ଆଇସବର୍ଗ ୭୬ଏ।

ଲାଇଭ ସାଇନ୍ସର ରିପୋର୍ଟ ଅନୁଯାୟୀ, ଏହି ଗ୍ଲାସିୟର ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଆଣ୍ଟାର୍କଟିକା ସହିତ ଧିରେ ଧିରେ ବହିବାରେ ଲାଗିଥିଲା। ମାତ୍ର ଏବେ ଏହା ତରଳିବାରେ ଲାଗିଛି। ଏହା ସମୁଦ୍ରରେ ବିଲୀନ ହେବାକୁ ଯାଉଛି। ନାସା ଦ୍ଵାରା ଅକ୍ଟୋବର ୩୧ ତାରିଖରେ ଏହି ହିମଖଣ୍ଡର ଫଟୋ ନିଆଯାଇଥିଲା। ୟୁନେସ୍କୋର ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଅବସ୍ଥା ଯଦି ଜାରି ରହେ ତେବେ ୫୦ ବିଶ୍ଵ ଐତିହ୍ୟ ସ୍ଥଳର ଏକ ତୃତୀୟାଂଶ ଗ୍ଲାସିୟର ୨୦୫୦ ସୁଦ୍ଧା ଗାଏବ ହୋଇଯିବ।

Get real time updates directly on you device, subscribe now.